ଚଳନ୍ତା ଅଟୋରେ ବୋମା ଫୁଟି ଡ୍ରାଇଭର ଗୁରୁତର

ଭୁବନେଶ୍ୱର,୨୫ା୮/ଏନ୍ଏନ୍ଏସ୍: ରବିବାର ରାତିରେ ବିଜେବି ନଗରରେ ଏକ ଚଳନ୍ତା ଅଟୋରେ ବୋମା ଫୁଟି ଡ୍ରାଇଭର ଗୁରୁତର ଆହତ ହୋଇଛି । ଆହତ ଡ୍ରାଇଭର ଜଣଙ୍କ ବିଜେବି ନଗରରେ ଥିବା ବିଜୟଲକ୍ଷ୍ମୀ ବସ୍ତିର ଜେ. ଗୋବିନ୍ଦ ରାଓ । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୮.୧୫ରେ ଗୋବିନ୍ଦ କଳ୍ପନା ଛକରୁ ଅଟୋ(ଓଆର୍-୦୨ବିବି-୬୩୫୯) ନେଇ ଘରକୁ ଫେରୁଥିଲେ । ବିଜେପି ନଗର ଦେଇ ଯାଉଥିବାବେଳେ ଏକ ହମ୍ପସରେ ଗାଡ଼ି ପଡ଼ିଯିବାରୁ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅଟୋଟି ପ୍ରାୟ ୧୦ଫୁଟ ଉପରକୁ ଉଠି ଯାଇଥିଲା । ଫଳରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଏଥିରେ ଅଟୋ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ତେବେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଅଟୋରେ ବୋମା ଯାଉଥିବାବେଳେ ଗାଡ଼ିଟି ହମ୍ପସରେ ପଡ଼ିବାରୁ ତାହା ଫୁଟିଥିବା ଜଣାପଡ଼ିଛି । ତେବେ ବିସ୍ଫୋରଣ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଟୋ ଚାଳକ ସୁସ୍ଥ ହେବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।
ସେହିଭଳି କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକ ଅଟୋ ଭିତରେ ଜୀବନ୍ତ ବୋମା ଥିବା ଲୋକେ ଦେଖି ପୁଲିସକୁ ଜଣାଇଥିଲେ । ପରେ କ୍ୟାପିଟାଲ ଥାନା ପୁଲିସ ବୋମା ଜବତ କରିବା ସହ ତଦନ୍ତ କରି ଅପରାଧୀକୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ଅପରାଧ ଘଟାଇବା ଲାଗି ଅଟୋରେ ବୋମା ନେଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏ ନେଇ ଆଜିର ଘଟଣାରେ ମଧ୍ୟ ଏଭଳି କିଛି ରହସ୍ୟ ଲୁଚିରହିଥିବା ସନ୍ଦେହ କରାଯାଉଛି ।