ମୁମତାଜ କହିଲେ, ‘ମୁଁ ମରିନି, ବଞ୍ଚିଛି’

ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ମୁମତାଜଙ୍କ ମୃତ୍ୟୁକୁ ନେଇ ନିକଟରେ ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ଖଣ୍ଡନ କରିଛନ୍ତି ନିଜେ ମୁମତାଜ। ଏକ ଭିଡିଓ ଜରିଆରେ ସେ କହିଛନ୍ତି – ‘ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଖୁବ ଭଲପାଏ। ଦେଖନ୍ତୁ, ମୁଁ ମରିନି, ବଞ୍ଚିଛି। ମୁଁ ଯେତେ ବୁଢ଼ୀ ବୋଲି ଲୋକ ଭାବୁଛନ୍ତି, ପ୍ରକୃତରେ ମୁଁ ସେତିକି ବୁଢ଼ୀ ନୁହେଁ।

ଆପଣଙ୍କ ଆଶୀର୍ବାଦରୁ ମୁଁ ବର୍ତ୍ତମାନ ମଧ୍ୟ ଖୁବ ବଢ଼ିଆ ଦିଶୁଛି।’ ଏହି ଭିଡିଓକୁ ମୁମତାଜଙ୍କ ଝିଅ ତାନ୍ୟା ମାଧୱାନୀ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ମିଛ ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି ତାନ୍ୟା। ସେ ଲେଖିଛନ୍ତି – ‘ମୋ ମା’ଙ୍କ ତରଫରୁ ପ୍ରଶଂସକଙ୍କ ପାଇଁ ବାର୍ତ୍ତା – ତାଙ୍କ ମୃତ୍ୟୁ ଖବର ଚର୍ଚ୍ଚାରେ ଅଛି। ମାତ୍ର ସେ ଭଲ ଅଛନ୍ତି। ସୁସ୍ଥ ଅଛନ୍ତି।

ତାଙ୍କର ଯେଉଁ ଫଟୋ ଇଣ୍ଟରନେଟରେ ଭାଇରାଲ୍ କରି ତାଙ୍କୁ ବୁଢ଼ୀ ବୋଲି ପ୍ରଚାର କରାଯାଉଛି, ବାସ୍ତବରେ ସେ ଫଟୋଟି ଅନେକ ବର୍ଷ ତଳର, ସେ କ୍ୟାନସରରେ ପୀଡ଼ିତା ଥିବା ସମୟର। ସେ ଏବେ ସୁସ୍ଥ ଅଛନ୍ତି, ସୁନ୍ଦରୀ ଦିଶୁଛନ୍ତି ଓ ଖୁସି ଅଛନ୍ତି।’