ସୋନୁଙ୍କୁ ଗୁହାରୀ କଲେ ପ୍ରବାସୀ ଶ୍ରମିକ

ଦେଶରେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ। ଏଭଳି ପରିସ୍ଥିତିରେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ପ୍ରବାସୀ ଶ୍ରମିକ। ଅନେକ ସ୍ଥାନରୁ ସେମାନେ ଚାଲିଚାଲି, ସାଇକେଲ, ରିକ୍ସା, ଟ୍ରକ ଡାଲାରେ ବିପଜ୍ଜନକ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସେମାନଙ୍କୁ ସହାୟତା କରି ମାନବିକତାର ପରିଚୟ ଦେଇଛନ୍ତି ବଲିଉଡ କଳାକାର ସୋନୁ ସୁଦ। ଅନେକ ପ୍ରବାସୀ ଶ୍ରମିକଙ୍କୁ ସେ ନିଜ ଖର୍ଚ୍ଚରେ ସେମାନଙ୍କ ଜନ୍ମସ୍ଥାନରେ ପହଞ୍ଚାଇବା ଜାରି ରଖିଛନ୍ତି।

ନିକଟରେ ଜଣେ ପ୍ରବାସୀ ଶ୍ରମିକ ଟୁଇଟର ଜରିଆରେ ଅନୁରୋଧ କରିଥିଲେ ସୋନୁଙ୍କୁ – ‘ଇଷ୍ଟ ୟୁପିର କେଉଁଠି ବି ପହଞ୍ଚାଇ ଦିଅନ୍ତୁ ସାର୍। ସେଠୁ ଚାଲି ଚାଲି ଘରକୁ ପଳାଇଯିବି।’ ପ୍ରବାସୀ ଶ୍ରମିକଙ୍କ ଏହି ଅନୁରୋଧର ଜବାବ ରଖିଛନ୍ତି ସୋନୁ – ‘ଚାଲିଚାଲି କାହିଁକି ଯିବ ବନ୍ଧୁ? ନମ୍ବର ପଠାନ୍ତୁ।’ ସୋନୁଙ୍କ ଏହି ଟୁଇଟ ପଢ଼ି ଅନେକ ଲୋକ କମେଣ୍ଟ ଦେଉଛନ୍ତି। ସୋନୁଙ୍କ ଏଭଳି ସହାୟତା ପାଇଁ ମଧ୍ୟ ସବୁ ସ୍ତରରୁ ତାଙ୍କୁ ପ୍ରଶଂସା କରାଯାଉଛି।