୨୦ ଦିନରେ ସରିବ ମାଟ୍ରିକ ଖାତା ଦେଖା, ଆଉ ୬ ହଜାର ଶିକ୍ଷକ ନିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭାଇରସ ସଂକ୍ରମଣ ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ବର୍ତ୍ତମାନ ଦେଶର ପ୍ରଗତି ଧିରେ ଧିରେ ଚାଲୁଛି। ସେହିପରି ଦେଶର ଭବିଷ୍ୟ କୁହାଯାଉଥିବା ଛାତ୍ରଛାତ୍ରମାନେ ବର୍ତ୍ତମାନ ଅବହେଳିତ ହୋଇପଡ଼ିଛନ୍ତି। ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରାଯାଇଥିବା ବେଳେ ପିଲାଙ୍କ ପରୀକ୍ଷା ଫଳ ବାହାରିବାରେ ବିଳମ୍ବିତ ହେଉଛି। ତେଣୁ ଛାତ୍ରଛାତ୍ରମାନେ ଏହାକୁ ନେଇ ଚିନ୍ତାରେ ଥିବା ବେଳେ ଆଜି ବୋର୍ଡ ପକ୍ଷରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯିବା ସହ ଆସନ୍ତା ୨୦ ଦିନ ମଧ୍ୟରେ ଖାତାଦେଖା ଶେଷ କରିବା ନେଇ ନିଷ୍ପତ୍ତି ହୋଇଛି।

ତେବେ ଆସନ୍ତା ୨୦ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏଥିରେ ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ଏ ନେଇ ଅଧିକ ୬ ହଜାର ଶିକ୍ଷକଙ୍କୁ ନିଯୁକ୍ତ ଦିଆଯାଇଛି। ତେବେ କେଉଁ ଶିକ୍ଷକମାନେ ଖାତା ଦେଖାରେ ଅଂଶ ଗ୍ରହଣ କରିବେ ତାହାର ତାଲିକା ୱେବସାଇଟରେ ଉପଲବ୍ଧ ହେବ। ତେବେ ପୂର୍ବରୁ ଖାତାଦେଖା ପାଇଁ ୧୭ ହଜାର ଶିକ୍ଷକଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ବର୍ତ୍ତମାନ ଆଉ ୬ ହଜାର ଶିକ୍ଷକଙ୍କୁ ଏଥିରେ ସାମିଲ କରାଯାଇଛି। ତେବେ ଯେଉଁ ଶିକ୍ଷକମାନେ ଯେଉଁ କେନ୍ଦ୍ରରେ ଖାତା ଦେଖୁଥିଲେ ସେମାନେ ସେଠାରେ ଦେଖିବେ।

ଖାତା ଦେଖିବା ବେଳେ କେତେକ ଗାଇଡଲାଇନ ରଖାଯାଇଛି। ଏଥିରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତା ମୂଳକ। ତେବେ ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ଫେଜରେ ଖାତା ଦେଖା ହେବ। ସେହିପରି ବିଭିନ୍ନ ବିଷୟକୁ ନେଇ ୩ଟି ଫେଜ ଓ ୩ଟି ସମୟ ନିର୍ଦ୍ଧାରିତ ହୋଇଛି। ସମ୍ପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ। ସେହିପରି ଖାତା ଦେଖାକୁ ୨୦ ଦିନ ମଧ୍ୟରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ଅତି ବେଶୀରେ ଏଥିରୁ ୨-୩ ଦିନ ବଢ଼ିପାରେ ବୋଲି ଅନୁମାନ କରାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନ ମାନଙ୍କରେ ଖାତା ଦେଖା କେନ୍ଦ୍ର କରାଯାଇନାହିଁ କିମ୍ବା ଶିକ୍ଷକମାନେ ଘରେ ରହି ଖାତା ଦେଖିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।