ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀରେ ୩୭ ଦିନର କରୋନା କଟକଣାରେ କୋହଳ କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସହ କିଛି ଆବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲାରହିବ। ସମ୍ପୂର୍ଣ୍ଣ ବଜାର ଚଳଚଞ୍ଚଳ ହେବ ନାହିଁ। କୌଣସି ବ୍ୟବସାୟ ସ୍ଥଳରେ ୫ ଜଣରୁ ଅଧିକ ଲୋକ ରହିବେ ନାହିଁ। ଗ୍ୟାରେଜ୍, ମରାମତି ଦୋକାନ, ଇଲେକ୍ଟ୍ରୋନିକ୍ସ ଓ ମୋଟର ଯାନ ଉପକରଣ ଦୋକାନ ଖୋଲା ରହିବ। ତେବେ ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟ କେନ୍ଦ୍ର ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। କାରିଗରଙ୍କ ଯିବା ଆସିବା ଉପରେ କଟକଣା ଲାଗିବ ନାହିଁ। ଲକଡାଉନ୍ ପାଇଁ ଅଟକି ରହିଥିବା ଜନସାଧାରଣ, ପର୍ଯ୍ୟଟକ, ସ୍ୱାସ୍ଥ୍ୟକର୍ମୀଙ୍କୁ ରଖିବା ପାଇଁ ହୋଟେଲ୍ ଓ ଲଜିଂ ଖୋଲା ରହିବ ବୋଲି ସରକାରଙ୍କ ଠାରୁ ଅନୁମତି ମିଳିଛି।
ଏଥିରେ ପିଡିଏସ୍ ଦୋକାନ, ତେଜରାତି, ଫଳ, ପନିପରିବା, କ୍ଷୀର ଦୋକାନ, ପଶୁ ପକ୍ଷୀଙ୍କ ଖାଦ୍ୟ, ସାର ଓ କୀଟନାଶକ, ଆବାସିକ କେମ୍ପ୍ଲକ୍ସରେ ଥିବା ପଞ୍ଜିକୃତ ଦୋକାନ, ଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ, ଫ୍ୟାନ୍, କୁଲର୍, ୱାଟର ପ୍ୟୁରିଫାୟର୍, ଏୟାର କଣ୍ଡିସନ୍, ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ଉପକରଣ ଦୋକାନ, ସମସ୍ତ ଗ୍ୟାରେଜ୍ , ବ୍ୟାଟେରୀ, ଟାୟାର, ମୋଟର ପାର୍ଟ୍ସ, ଲୁବ୍ରିକାଣ୍ଟ, ନିର୍ମାଣ ସାମଗ୍ରୀ, ପାଠ୍ୟ ପୁସ୍ତକ, ପାର୍ସଲ ଦେଉଥିବା ରେସ୍ତୋରାଁ, ଇ-କମର୍ସ ହୋମ୍ ଡେଲିଭରୀ, ଅନ୍ଲାଇନ୍ ଖାଦ୍ୟ ଡେଲିଭରୀ, ରିଲାଏନ୍ସ ଫ୍ରେସ୍, ଓପୋଲଫେଡ୍, ଚିଲିକା ଫ୍ରେସ୍, ସ୍ପେନସର୍ସ, ଇଣ୍ଟରନେଟ୍ ସେବା, ଟେଲି ଯୋଗାଯୋଗ, କେବୁଲ ଓ ଡିଟିଏଚ୍, ଘରୋଇ ସିକ୍ୟୁରିଟି ସଂସ୍ଥା ଓ ସେବା ଯୋଗାଣ, ହୋଟେଲ, ହୋମଷ୍ଟେ, ଲଜିଂ ଖୋଲା ହେବ।
ସେହିପରି ଇଲେକ୍ଟ୍ରିସିଆନ୍, ଆଇଟି ଉପକରଣ ମରାମତି କରୁଥିବା ଲୋକ, ଗ୍ୟାରେଜ୍ ମେକାନିକ୍, ପାଣି ପାଇପ୍ ମରାତି, ବଢ଼େଇ ଆଦିଙ୍କ ଯିବା ଆସିବା ଉପରେ କଟକଣା ରହିବ ନାହିଁ।