ରାଜ୍ୟର ୫ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‍ଏନ୍‍ଏସ୍‍: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସମ୍ପୂଣ୍ଣ ବନ୍ଦ ରହିବ। କେବଳ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇପାରିବେ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନର ସମ୍ପୂର୍ଣ୍ଣ ଲକଡାଉନ ରହିବ। ଏହା ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ଲକଡାଉନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ବସ୍, ଟ୍ରେନ୍ ଓ ବିମାନ ସେବା ସହିତ ଗ୍ରୋସରି ଦୋକାନ, ପନିପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡ଼ିସିନ୍ ଦୋକାନ ଆଦି ଖୋଲା ରହିବ। ସେହିପରି ଅତ୍ୟାବଶ୍ୟକ ହୋଲସେଲ ମାର୍କେଟ ମଧ୍ୟ ଖୋଲା ରହିବ।

ସେହିପରି ଏ ସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସପାଲଟି, ପୁଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟଜଳ ଓ ବିଦ୍ୟୁତ୍ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ଜଣାଯାଇଛି।
ଉପରୋକ୍ତ ୫ଟି ଜିଲ୍ଲା ଓ ୭ଟି ସହରରେ ସାମାଜିକ ସୁରକ୍ଷା, ପେନସନ୍ ଓ ସାଧାଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଯେ କୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ ବା ଯୋଗ କରିପାରିବେ।

ସେହିପରି ଘରୋଇ କମ୍ପାନୀମାନଙ୍କୁ ଘରେ ଥାଇ କାମ କରିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ସେମାନେ ଏହା ନ କରନ୍ତି ତେବେ ସେମାନଙ୍କର ବର୍ତ୍ତମାନର ବ୍ୟବସ୍ଥା ଚାଲୁ ରଖିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ଆଣିବାକୁ ହେବ।

କୋଭିଡ-୧୯କୁ ନିୟନ୍ତ୍ରଣ ପାଇଁ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀଙ୍କୁ ଜରୁରୀକାଳୀନ ସେବାର ଅନ୍ତର୍ଭୁକ୍ତ କରାଗଲା। ଲୋକଙ୍କ ସ୍ୱାର୍ଥ ପାଇଁ ଏହି କଟକଣା କରାଯାଇଛି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ମଧ୍ୟ ଜାରି କରି ଲୋକଙ୍କୁ ସଚେତନ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ଗତ ଦୁଇମାସରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁ କିଛି ପଛରେ ପକାଇ ସ୍ୱାସ୍ଥ୍ୟ ସମସ୍ୟା ସାରା ବିଶ୍ୱ ପାଇଁ ଏକ ବହୁତ ବଡ ଆହ୍ୱାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କ ପାଇଁ କରୋନା ଭାଇରସ୍ ଗୁରୁତର ସମସ୍ୟା ସୃଷ୍ଟି କରିଛି।

ବର୍ତ୍ତମାନ ଏହି ଭାଇରସ ଭାରତରେ ମଧ୍ୟ ପହଞ୍ଚିଛି। ଦିନକୁ ଦିନ ଭାରତରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଏହା ବାହାର ଦେଶରୁ ଆସୁଛି। ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଚିକିତ୍ସା ସୃଷ୍ଟି ହୋଇନଥିବା ବେଳେ କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ। ତେଣୁ ମୋର ଅନୁରୋଧ ଆପଣମାନେ ଘରେ ରୁହନ୍ତୁ। ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଷ୍ଟ୍ରାଟେଜିକୁ ପାଳନ କରି ଚୀନର ଉହାନ ପ୍ରଦେଶରେ ଭାଇରସ କାବୁକୁ ଆସିଛି। ବର୍ତ୍ତମାନ ଏହି ଷ୍ଟ୍ରାଟେଜିକୁ ଆପଣେଇବାର ସମୟ ଆସିଛି। ତେବେ ଆମେ ସମସ୍ତେ ଏହାକୁ ଆପଣେଇବା ସହ ଜରୁରୀ ପରିସ୍ଥିତିରେ ହିଁ ପଦାକୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏଥିସହ ଆଗାମୀ ସପ୍ତାହ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗତ କିଛିଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ବନ୍ଦ ରହିବ। ଏଥିସହ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ମାର୍ଚ୍ଚ ୨୨ ତାରିଖ ରବିବାର ସକାଳ ୭ଟାରୁ ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ ଲକଡାଉନ କରିବା ପାଇଁ ରାଜ୍ୟସରକାର ଘୋଷଣା କରିଛନ୍ତି।