‘ପଳାସୁଧା’ ‘ଅଳସୁଧା’କୁ ନେଇ ଦ୍ୱନ୍ଦ୍ୱରେ ପୁଲିସ : ‘୫୦ହଜାର ତଣ୍ଡ ଗଣିବେ ସରକାର’

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଏକ ଅପରାଧିକ ମାମଲାରେ ଜଣେ ନିର୍ଦ୍ଦୋଷଙ୍କୁ ପୁଲିସ ଗିରଫ କରିନେଇଥିବା ମାମଲାର ଶୁଣାଣି କରି ୫୦ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)। ଆଗାମୀ ଦୁଇମାସ ମଧ୍ୟରେ କ୍ଷତିପୂରଣ ରାଶି ଦେବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗୃହ ବିଭାଗ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଜଗତସିଂହପୁର ଜିଲ୍ଲାର ପଳାସୁଧା ଗ୍ରାମର ଭରତ କୁମାର ବାରିକଙ୍କୁ ୨୦୧୦ରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ସ୍ଥାନୀୟ ପୁଲିସ ଗିରଫ କରିଥିଲା।

ଭରତ କର୍ଣ୍ଣାଟକରେ କାମ କରୁଥିଲେ ଏବଂ ଘରକୁ ଆସିଥିବା ବେଳେ ୨୦୧୭ ଅକ୍ଟୋବର ୨୯ରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପୁଲିସ ତାଙ୍କୁ ଏକ ସପ୍ତାହ ହଜତରେ ରଖି ୨୦୧୭ ନଭେମ୍ବର ୭ରେ ଜାମିନରେ ଛାଡ଼ିଥିଲା। ତେବେ ପଳାସୁଧା ଗ୍ରାମର ଭରତ କୁମାର ବାରିକ ନୁହେଁ ବରଂ ଅଳାସୁଧା ଗ୍ରାମର ଭରତ କୁମାର ବାରିକ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଥିଲେ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏନେଇ ପୀଡ଼ିତଙ୍କ ପିତା ଏବଂ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓଏଚ୍ଆର୍ସିଙ୍କ ନିକଟରେ ପିଟିସନ୍ ଦେଇଥିଲେ। ଦୁଇଜଣଙ୍କ ପିଟିସନର ଅଲଗା ଅଲଗା ଶୁଣାଣି କରି କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।