କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧୀନ ଐତିହାସିକ ବାଣିଜ୍ୟ କେନ୍ଦ୍ର ହୁଟିଟେଲା ନିକଟ ମାଦିଲି ଦ୍ୱୀପ ଏବେ ବିରଳ ଅଲିଭରିଡଲେ କଇଁଛଙ୍କ ଶ୍ମଶାନସ୍ଥଳୀ ପାଲଟିଛି। ବରୁଣେଇ ମୁହାଣ ନିକଟରେ ଅବସ୍ଥିତ ଏହି ଦ୍ୱୀପରେ ଶହ ଶହ ବିରଳ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଅଣ୍ଡାଦେବାକୁ ଆସୁଥିବା ଏହି କଇଁଛମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ମେରାଇନ ଫିିସିଂ ରେଗୁଲେସନ ଆକ୍ଟ ଲାଗୁ କରାଯାଇ ନଭେମ୍ବର ୧ରୁ ମେ ୩୧ଯାଏଁ ଦୀର୍ଘ ୭ମାସ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏଥିପାଇଁ ବନବିଭାଗ, ମତ୍ସ୍ୟବିଭାଗ ଓ ତଟରକ୍ଷୀ ବାହିନୀଙ୍କ ହାତରେ କଇଁଛଙ୍କ ସୁରକ୍ଷା ପ୍ରଦାନ କରାଯାଇଥିବାବେଳେ ବାସ୍ତବରେ ଏତେ ସଂଖ୍ୟକ କଇଁଛଙ୍କ ଏଠାରେ ମୃତ୍ୟୁକୁ ନେଇ ଏହି ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗହିରମଥାକୁ ଛାଡ଼ିଲେ ବରୁଣେଇ ମୁହାଣ ଅଲିଭରିଡଲେଙ୍କ ଦ୍ୱିତୀୟ ଗଣ ଅଣ୍ଡାଦାନ ସ୍ଥଳ ହୋଇଥିବାବେଳେ ଏହାର ଅନତିଦୂରରେ ଥିବା ମାଦିଲି ଦ୍ୱୀପ ବିଶେଷ ଗୁରୁତ୍ୱ ବହନ କରିଥାଏ। ପୂର୍ବରୁ ଏହି ଦ୍ୱୀପ ହେନ୍ତାଳ ବଣରେ ପରିପୂର୍ଣ୍ଣ ଥିବା ବେଳେ ବେଳଭୂମି କ୍ଷୟ ଓ ଅବାଧ ଗଛକଟା ଯୋଗୁ ଏହା ଏବେ ସଂପୂର୍ଣ୍ଣ ଭାବରେ ବୃକ୍ଷଶୂନ୍ୟ ହୋଇପଡ଼ିଛି। ତେବେ ଏକପକ୍ଷରେ ମହାନଦୀ ମୁହାଣ ଓ ଅନ୍ୟପକ୍ଷରେ ବଂଗୋପସାଗର ମଧ୍ୟରେ ଥିବା ଏହି ଦ୍ୱୀପଟି ଶହ ଶହ ମାଛଧରା ବୋଟ୍ ଓ ଟ୍ରଲରମାନଙ୍କ ପାଇଁ ଏବେ ଅଘୋଷିତ ମାଛଧରା ବନ୍ଦର ପାଲଟିଛି।
ବଡ଼ ବଡ଼ ଟ୍ରଲର ସହ ମାଛଧରା ବୋଟ୍ ସମୁଦ୍ରରୁ ମାଛଧରି ଏଠାକୁ ଫେରୁଥିବା ଦେଖିିବାକୁ ମିଳିଛି। ତେବେ ମିଳନ ଓ ପ୍ରଜନନ ପାଇଁ ଆସୁଥିବା ବିରଳ ଅଲିଭରିଡଲେ କଇଁଛ ମାଛଧରା ବୋଟ୍ ଓ ଟ୍ରଲରରେ ମାଡ଼ ହୋଇ ତଥା ଜାଲରେ ଲାଗି ମୃତ୍ୟୁବରଣ କରିବା ପରେ ସେଗୁଡ଼ିକୁ ଏଠାରେ ଏଣେ ତେଣେ ଫୋପାଡ଼ି ଦିଆଯାଉଛିି। ମତ୍ସ୍ୟଜୀବୀଙ୍କ ବ୍ୟତୀତ ଏଠାକୁ ବାହାରର ବ୍ୟକ୍ତିମାନେ ଯାଉନଥିବାରୁ ବନବିଭାଗର ଏଥିପାଇଁ ସାମାନ୍ୟ ଚିନ୍ତା ବି ନାହିଁ।
ଏ ସମ୍ପର୍କରେ ପରିବେଶବିତ୍ ରଞ୍ଜନ ଦାସ କହନ୍ତି, ଓଡ଼ିଶାର ୩ଟି ସ୍ଥାନ ଗଞ୍ଜାମର ଋଷିକୁଲ୍ୟା ମୁହାଣ ,ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ମୁହାଣ ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଗହିରମଥାରେ ଅଲିଭ ରିଡଲେ କଇଁଛମାନେ ଅଣ୍ଡାଦେଇଥାନ୍ତି। ୧୯୯୭ ମସିହାରୁ କେନ୍ଦ୍ର ସରକାର ବେଳାଭୂମିରୁ ସମୁଦ୍ର ମଧ୍ୟକୁ ୨୦ କିମି ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ଚଳିତ ବର୍ଷ ରାଜନଗର ବନବିଭାଗ ତରଫରୁ ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟିିଆ ପାଟ୍ରୋଲିଂ ,୧୬ଟି ବେସ୍ କ୍ୟାମ୍ପ ଓ ୬୦ଜଣ ବନ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା କୁହାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବାସ୍ତବରେ କଇଁଛମାନେ ଯେଉଁ ଅସୁରକ୍ଷିତକୁ ସେହି ଅସୁରକ୍ଷିତହୋଇ ରହିଛନ୍ତି।
ମାଦିଲି ଦ୍ୱୀପରେ ଅବାଧରେ ଡଙ୍ଗା ଆସି ଲାଗୁଛି। ନିକଟରେ ବନବିଭାଗ ଓ ଜମ୍ବୁ ମେରାଇନ ଥିଲେ ମଧ୍ୟ ଏଠାରେ ଅବାଧ ଫିସିଂ ହରବର ଗଢିଉଠିଛି। ଏଠାରେ ଲକ୍ଷ ଲକ୍ଷ ଟଙ୍କାର ମାଛ କାରବାର ହେଉଥିବାବେଳେ ମାଛ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଏହି ଫିସିଂ ହରବରକୁ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ସେହିପରି ଆମ୍ବ ବେଲାରି ଗ୍ରାମର ସୁଶାନ୍ତ ହାଲଦାର କହନ୍ତି ସମୁଦ୍ରରେ ବଡ଼ ବଡ଼ ଟ୍ରଲର ଦୀର୍ଘ ୫ଘଣ୍ଟାଧରି ମାଛ ମାରନ୍ତି। କଇଁଛ ନିଷ୍କାସନ ଯନ୍ତ୍ର ନଥିବାରୁ ଏହି ଜାଲରେ କଇଁଛ ଲାଗିଲେ ନିଶ୍ୱାସ ନନେଇ ପାରି ମୃତ୍ୟୁବରଣ କରନ୍ତି। ବନବିଭାଗ ମଝିରେ ମଝିରେ କେବେ କେମିତି ଆସୁଥିବାବେଳେ ପ୍ରତିଦିନ ଟ୍ରଲର ମାଲିକମାନେ ଲୁଚିଛପି ମାଛ ଧରୁଥିବା ସେ କହିଛନ୍ତି।