ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୦ଟି ଟ୍ରେଡ୍ ୟୁନିୟନ ଏବଂ ତାଙ୍କୁ ସମର୍ଥନ କରି କେତେକ ରାଜନୈତିକ ଦଳ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଥିବା ବେଳେ ଏ ନେଇ ପୂର୍ବତଟ ରେଳ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ତେବେ ଦୀର୍ଘଘଣ୍ଟା ଧରି ଟ୍ରେନ ଗୁଡ଼ିକୁ ଷ୍ଟେସନ ମାନଙ୍କରେ ଅଟକ ରଖାଯାଇଥିବା ବେଳେ ପରେ ଏହାର ଚଳାଚଳ ସ୍ୱାଭାବିକ ହୋଇଛି। ପ୍ରତିବାଦକାରୀଙ୍କୁ ବୁଝାସୁଝା କରାଯିବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି।
ପୂର୍ବତଟ ରେଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସକାଳ ୬ଟା ବେଳେ ତାଳଚେର, ସକାଳ ୬ଟା ୩୦ରେ ଭୁବନେଶ୍ୱର, ୬ଟା ୧୫ରେ ଭଦ୍ରକ, ସକାଳ ୬ଟା ୨୫ରେ କେନ୍ଦୁଝରଗଡ଼, ସକାଳ ୭ଟାରେ ବ୍ରହ୍ମପୁର, ସକାଳ ୭ଟା ୨୦ରେ ପୁରୀ, ସକାଳ ୮ଟାରେ କଟକ ରେଳ ଷ୍ଟେସନ୍ରେ ପ୍ରତିବାଦ ପ୍ରଦର୍ଶନ କରାଯାଇ ଟ୍ରେନଗୁଡ଼ିକୁ ଅଟକ ରଖାଯାଇଥିଲା। ଏହାପରେ ଭୁବନେଶ୍ୱର ରେଳ ଷ୍ଟେସନ୍ରେ ସକାଳ ୯ଟା ୩୦ରେ, କେନ୍ଦୁଝରଗଡ଼ରେ ୮ଟା ୨୦ ମିନିଟରେ ଓ ବ୍ରହ୍ମପୁରରେ ୮ଟା ୩୦ରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା। ଏଥିଯୋଗୁଁ ବିଭିନ୍ନ ଷ୍ଟେସନ୍ରେ ଅଟକି ରହିଥିବା ଅନେକ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିବା ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।