କଳିଙ୍ଗରେ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଆଜି: ଓଡ଼ିଶା ଏଫ୍‌ସି-ଜାମସେଦପୁର ମୁକାବିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ୯ ମ୍ୟାଚ୍‌ ବାହାରେ ଖେଳିବା ପରେ ଶୁକ୍ରବାର ପ୍ରଥମ ଥର ଲାଗି ନିଜ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଛି। ପୂର୍ବରୁ ଦିଲ୍ଲୀ ଡାଇନାମୋସ ନାମରେ ଥିବା ଏହି ଦଳ ଚଳିତ ବର୍ଷ ଓଡ଼ିଶା ଏଫ୍‌ସିରେ ପରିଣତ ହୋଇଥି‌ଲା। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ଏହାର ଘରୋଇ ପଡ଼ିଆ ହେବା ସହ ଆଇଏସ୍‌ଏଲ୍‌ରେ ଓଡ଼ିଶାର ଏକ ଦଳ ସ୍ଥାନ ପାଇଥିଲା। ଏହି ଦଳ ଶୁକ୍ରବାର ନିଜ ‌ଘରୋଇ ପଡ଼ିଆରେ ପଡ଼ୋଶୀ ଜାମସେଦପୁରକୁ ଭେଟିବ।

ପ୍ରଥମ ଥର ଲାଗି ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବାକୁ ଯାଉଥିବାରୁ ଦଳର ସବୁ ଖେଳାଳି ଉତ୍ସାହିତ ଅଛନ୍ତି। ସଂପ୍ରତି ଦଳ ୯ ମ୍ୟାଚ୍‌ ଖେଳି ୨ ବିଜୟ, ୩ ଅମୀମାଂସିତ ଓ ୪ ପରାଜୟରୁ ୯ ପଏଣ୍ଟ୍‌ ସହ ଦଶ ଦଳୀୟ ପ୍ରତିଯୋଗିତାର ସପ୍ତମ ସ୍ଥାନରେ ରହିଛି। ଦଳ ଅଧା ମ୍ୟାଚ୍‌ ଖେଳି ସାରିଥିବାରୁ ପରବର୍ତୀ ପର୍ୟ୍ୟ‌ାୟରେ ପହଞ୍ଚିବା ଆଶା ପ୍ରାୟ କମି ଯାଇଛି। ତଥାପି ଭଲ ପ୍ରଦର୍ଶନ ସହ ପ୍ରତ୍ୟାବର୍ତନ ଆଶା ରଖିଛି ଓଡ଼ିଶା ଏଫ୍‌ସି। ଅନ୍ୟପକ୍ଷରେ ଜାମସେଦପୁର ୨୦୧୭-୧୮ ଆଇଏସ୍‌ଏଲ୍‌ ସଂସ୍କରଣରେ କଳିଙ୍ଗ ‌ଷ୍ଟାଡିୟମକୁ ନିଜର ଘରୋଇ ପଡ଼ିଆ କରିଥିଲା। ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମଧ୍ୟ ପାଇଥିଲା ହେଲେ ଚଳିତ ଥର ଓଡ଼ିଶାର ନିଜସ୍ବ ଦଳ ଖେଳୁଥିବାରୁ ଜାମସେଦପୁର ଏଥିରୁ ବଞ୍ଚିତ ହୋଇପାରେ। କିନ୍ତୁ ଓଡ଼ିଶା ଏଫ୍‌ସି ବିପକ୍ଷ ଘରୋଇ ମ୍ୟାଚ୍‌‌କୁ ଜାମସେଦପୁର ଜିତି ଗୋଟିଏ ପାଦ ଆଗରେ ରହିଛି। ସେପଟେ ପଏଣ୍ଟ୍‌ ତାଲିକାରେ ମଧ୍ୟ ଜାମସେଦପୁର (ଚତୁର୍ଥ ସ୍ଥାନ) ଓଡ଼ିଶାଠୁ ଉପରେ ରହିଛି। ଦଳ ଏ ପର୍ୟ୍ୟନ୍ତ ୯ ମ୍ୟାଚ୍‌ ଖେଳି ୩ ବିଜୟ, ୪ ଅମୀମାଂସିତ ଓ ୨ ପରାଜୟରୁ ୧୩ ପଏଣ୍ଟ୍‌ ପାଇଛି। ଏଠାରେ ମ୍ୟାଚ୍‌ ଜିତି ପୂରା ୩ ପଏଣ୍ଟ୍‌ କରାୟତ କରିବା ଲକ୍ଷ୍ୟରେ ରହିଛି ଜାମସେଦପୁର ଏଫ୍‌ସି। ଶୁକ୍ରବାର ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଥିଲେ। ଓଡ଼ିଶା ଦଳ ସକାଳ ୧୦ଟାରେ କରିଥିଲା ବେଳେ ଜାମସେଦପୁର ଅପରାହ୍ଣ ୪ଟାରେ ଅଭ୍ୟାସ କରିଥିଲା।