ରାଜ୍ୟରେ ରାଜପଥଜନିତ ଆକସ୍ମିକ ଦୁର୍ଘଟଣା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୩୦ ସୁଦ୍ଧା କମିଟି ଅନ୍ ରୋଡ୍ ସେଫ୍ଟିଙ୍କୁ ରିପୋର୍ଟ ଦିଅ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ତ୍ତମାନ ରାସ୍ତାକଡ଼ରେ ମଦ ଦୋକାନ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ିବାରେ ଲାଗିଛି, ସେହିମାତ୍ରାରେ ମଧ୍ୟ ଆକସ୍ମିିକ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ଦୁର୍ଘଟଣା ସଂଖ୍ୟା କମାଇବା ଲାଗି ସୁପ୍ରିମକୋର୍ଟଙ୍କ ତାଗିତ ଓ ଗାଇଡ୍ଲାଇନକୁ ଠିକ ଭାବରେ ପାଳନ କରାଯାଉନାହିଁ। ଦେଶରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିବା ସହିତ ଓଡ଼ିଶାରେ ମଧ୍ୟ ଆକସ୍ମିକ ଦୁର୍ଘଟଣା ସଂଖ୍ୟା ବହୁମାତ୍ରାରେ ବଢ଼ିଛି। ଏହାକୁ ନେଇ ସୁପ୍ରିମ୍କୋର୍ଟ କମିଟି ଅନ୍ରୋଡ୍ ସେଫ୍ଟି ଚିନ୍ତା ପ୍ରକଟ କରିଛନ୍ତି। ଓଡ଼ିଶାରେ ଆକସ୍ମିକ ଦୁର୍ଘଟଣା ଦୁର୍ଘଟଣା କମାଇବା ଲାଗି ରାଜ୍ୟ ସରକାର କି କି ପଦେକ୍ଷେପ ଗ୍ରହଣ କରିଛନ୍ତି ତାହାର ରିପୋର୍ଟ ନଭେମ୍ବର ୩୦ତାରିଖ ସୁଦ୍ଧା କମିଟି ପାଖରେ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତବର୍ଷ ରେକର୍ଡ ଅନୁଯାୟୀ ରାଜ୍ୟରେ ମୋଟ ଦୁର୍ଘଟଣାର ୬୦ ପ୍ରତିଶତ ହେଉଛି ରାଜପଥଜନିତ ଦୁର୍ଘଟଣା। ରିପୋର୍ଟ ମୁତାବକ ରାଜ୍ୟରେ ୨୦୧୪ ମସିହାଠାରୁ କ୍ରମାଗତ ଭାବରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ରାଜ୍ୟରେ ୨୦୧୪ ମସିହାରେ ୩ ହଜାର ୯୩୧ ଜଣ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୦୧୫ରେ ଏହି ସଂଖ୍ୟା ବଢ଼ି ୪ହଜାର ୩୦୩ରେ ପହଞ୍ଚିଥିଲା। ୨୦୧୬ ମସିହାରେ ୪ହଜାର ୪୬୩ ଜଣ, ୨୦୧୭ରେ ୪ହଜାର ୯୯୦ ଜଣ ଓ ୨୦୧୮ ମସିହାରେ ୫ ହଜାର ୩୧୫ ଜଣ ମୃତ୍ୟୁବରଣ କରିଛନ୍ତି।

ଦେଶରେ ନୂଆ ମୋଟରଯାନ ଆଇନ କାର୍ଯ୍ୟକାରୀ ହେଲା ପରେ ୨୦୧୯ ସେପ୍ଟେମ୍ବରରେ ୩୧୫ ଓ ଅକ୍ଟୋବରରେ ୩୫୦ଜଣ ମୃତ୍ୟୁବରଣ କରିଥିଲେ। ହେଲେ ୨୦୧୮ ମସିହାର ସେପ୍ଟେମ୍ବର ମାସରେ ୩୬୮ଜଣ ଓ ଅକ୍ଟୋବରରେ ୪୪୪ଜଣ ମୃତ୍ୟୁବରଣ କରିଥିଲେ। ଏଥିରୁ ଜଣାପଡ଼ିଛି ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ପରେ ସାମାନ୍ୟ କମିଛି। ରାଜ୍ୟରେ ରାଜପଥଜନିତ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

୨୦୧୮ମସିହାରେ ୫ହଜାର ୩୧୫ଜଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ୬୪ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ମଧ୍ୟରୁ ଜାତୀୟରାଜପଥଜନିତ ମୃତ୍ୟୁ ସଂଖ୍ୟା ୩୭ ପ୍ରତିଶତ ଥିଲାବେଳେ ରାଜ୍ୟ ରାଜପଥଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ରହିଛି। ସେହିପରି ୨୦୧୭ ମସିହାରେ ୪ଜହାର ୭୯୦ଜଣ ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ଜାତୀୟରାଜପଥଜନିତ ମୃତ୍ୟୁସଂଖ୍ୟା ୪୪.୩୨ ପ୍ରତିଶତ ଓ ରାଜ୍ୟ ରାଜପଥଜନିତ ମୃତ୍ୟୁ ସଂଖ୍ୟା ୩୨.୪ ପ୍ରତିଶତ ରହିଛି।

ଆକସ୍ମିକ ଦୁର୍ଘଟଣାର ମୁଖ୍ୟ କାରଣ ରହିଛି ରାଜପଥଗୁଡ଼ିକରେ ଷ୍ଟ୍ରିଟ୍ଲାଇଟ୍ ଅଭାବ, ଟ୍ରାଫିକ୍ ସିଗ୍ନାଲ ଅଭାବ, ରାସ୍ତାପାଖରେ ମାର୍କେଟ ଓ ଘର ଆଦି ରହିଛି ବୋଲି ସୁପ୍ରିମ୍କୋର୍ଟ କମିଟି ଏହି ମୃତ୍ୟୁର କାରଣ ସମ୍ପର୍କରେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ତେଣୁ ରାଜ୍ୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜ୍ୟପଥଗୁଡ଼ିକରେ ଆକସ୍ମିକଜନିତ ଦୁର୍ଘଟଣା କମାଇବା ଲାଗି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କୁ ତାଗିତ କରିଛନ୍ତି ଓ ଉପଯୁକ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।