ଆଉ ୧୦ ବର୍ଷ ଓଡ଼ିଶା ହେବ ହକି ପ୍ରାୟୋଜକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତୀୟ ହକି ଦଳର ପ୍ରାୟୋଜକ ଭାର ଓଡ଼ିଶା ଆଉ ୧୦ ବର୍ଷ ପାଇଁ ବହନ କରିବ । ୨୦୩୩ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଓଡ଼ିଶା ହେବ । ଏନେଇ ଆଜି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଓଏମସି ସରକାରଙ୍କ ଅନୁମୋଦନକ୍ରମେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ପୁରୁଷ ଓ ମହିଳା, ସିନିୟର ଓ ଜୁନିୟର ପ୍ରାୟୋଜକତା ପାଇଁ ହକି ଇଣ୍ଡିଆ ସହ ଚୁକ୍ତି ହୋଇଥିଲା । ଚୁକ୍ତିକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷଙ୍କ ଅନୁରୋଧକ୍ରମେ ଓଏମସି ଲିମିଟେଡ ସରକାରଙ୍କ ଅନୁମୋଦନ ଲୋଡ଼ିଥିଲା ଯାହାକୁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି । ଓଏମସି ବର୍ତ୍ତମାନ ଆଉ ୧୦ ବର୍ଷ ପାଇଁ ଅର୍ଥାତ୍ ୨୦୨୩ ଫେବୃଆରୀ ୧ରୁ ୨୦୩୩ ଜାନୁଆରୀ ୩୧ ପର୍ଯ୍ୟନ୍ତ ପ୍ରାୟୋଜକ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ସମୟ ମଧ୍ୟରେ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରାଯିବ ।