ଜିତେନ୍ଦ୍ର ପଟ୍ଟନାୟକଙ୍କ ‘ମିଶନ ଶକ୍ତି’-ଡକ୍ୟୁ ଫିଲ୍ମକୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା

ନୂଆଦିଲ୍ଲୀ,ଭୁବନେଶ୍ୱର: ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଡକ୍ୟୁ ଫିଲ୍ମ- ‘ମିଶନ ଶକ୍ତି’କୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା (International appreciation) ମିଳିଛି । ଜାତିସଂଘ ଦ୍ୱାରା ଆମେରିକାର ସିଆଟେଲରେ ଅନୁଷ୍ଠିତ ‘ସି ଫୁଡ ଏଲାଏନ୍ସ’ ଶୀର୍ଷକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶରୁ ମହିଳା ସଶକ୍ତିକରଣ ଉପରେ ଶତାଧିକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଓଡ଼ିଶା ଅଂଶ ଗ୍ରହଣ କରିବା ସହ ୩.୨୨ ମିନିଟର ‘ମିଶନ ଶକ୍ତି’ ଶୀର୍ଷକ କ୍ଷୁଦ୍ର ଡକ୍ୟୁ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଏହାକୁ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(SHG) କେମିତି ପଞ୍ଚାୟତ ପୋଖରୀରେ ମାଛ ଚାଷ କରି ସଫଳତା ପାଇଛନ୍ତି ତାହା ଉକ୍ତ ଡକ୍ୟୁ ଫିଲ୍ମରେ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଥିବା ଦେଖି ଉପସ୍ଥିତ ବିଚାରକ ମଣ୍ଡଳୀ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହେବାସହ ଅଭିଭୂତ ହୋଇଥିଲେ । ସେଥିପାଇଁ ଜାତିସଂଘ ପକ୍ଷରୁ ମିଶନ ଶକ୍ତି-ଡକ୍ୟୁ ଫିଲ୍ମ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଥିଲା । ଏନେଇ ପ୍ରଶଂସା ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଛି । ଆମେରିକା ଗସ୍ତରେ ଥିବା ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ମତ୍ସ୍ୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ତାହାକୁ ଗ୍ରହଣ କରିଥିଲେ । ଏହାର ନିର୍ମାଣ ସହ ନିର୍ଦ୍ଦେଶନା ଜିତେନ୍ଦ୍ର ପଟ୍ଟନାୟକ ଦେଇଥିବାରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଚିଠି ଦେଇ ସାଧୁବାଦ ଦିଆଯାଇଛି । ଉକ୍ତ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ରରେ ‘ସାବିତ୍ରୀ’ ଫିଲ୍ମର ପ୍ରଯୋଜକ ଜିତେନ୍ଦ୍ର ପଟ୍ଟନାୟକଙ୍କ ବ୍ୟତୀତ ଅନିତ୍ୟ ମହାନ୍ତି, ମାନସ ରଞ୍ଜନ ପାତ୍ର, ନିଲୁ ଓ ପତିତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ଆଗାମୀ ଦିନରେ ଏଭଳି କଳାତ୍ମକ କାର୍ଯ୍ୟ ଜାରି ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।