ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ, ୨ଦିନ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସେହିପରି ଆସନ୍ତା ୨ଦିନ ଧରି ଲଘୁଚାପ ପ୍ରଭାବରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୩ ଓ ୨୪ତାରିଖରେ ରାଜ୍ୟର ୧୫ଟି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏ ନେଇ ମାଲକାନଗିରିରୁ ଆରମ୍ଭ କରି ଗଜପତି, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି ।

ସକାଳୁ ରାଜଧାନୀ ଭୂବନେଶ୍ୱରରେ ପାଗ ବଦଳିଛି । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ଧାରଣ କରିଥିବାରୁ ଏଥର ଦୀପାବଳି ଫିକା ପଡିବା ଆଶଙ୍କା ହେଉଛି। ସେହିପରି ଆସନ୍ତା ୨ଦିନ ଧରି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।