ମନ୍ତ୍ରୀ ଏବଂ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍, ପଞ୍ଚାୟତିରାଜ ଫଣ୍ଡରେ ହାତ ନମାରିବାକୁ ପରାମର୍ଶ

ଭୁବନେଶ୍ବର,ଏନ୍ଏନ୍ଏସ୍: ଶିଶୁ ଓ ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତୀ ପାଇଁ ଶିଶୁ ଓ ମହିଳା ଅନୁକୁଳ ଗ୍ରାମ ପଞ୍ଚାୟତ ଗଠନକୁ ନେଇ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର କିଟ୍‌ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶର ବିଭିନ୍ନ ପ୍ରାନ୍ତରୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟଙ୍କ ପରି ପଞ୍ଚାୟତିରାଜର ପ୍ରାୟ ୧୫୦୦ ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

ପଞ୍ଚାୟତସ୍ତରରୁ ବା ତୃଣମୂଳ ସ୍ତରରୁ କିଭଳି ଏକ ଶିଶୁ ଓ ମହିଳାର ବିକାଶ ହେବ ଓ ଏକ ସୁସ୍ଥ ସମାଜ ଗଠନ ହେବ ସେହି ଲକ୍ଷ୍ୟ ନେଇ ଏଭଳି କର୍ମଶାଳା ଆୟୋଜିତ ହୋଇଛି । ଯେଉଁଠି ପ୍ରତିନିଧିମାନଙ୍କୁ ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଥିବା କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଯାଇଛି ଓ ଏହାର ସଠିକ ପରିଚାଳନା ପାଇଁ ଉପଦେଶ ଦଆଯାଇଛି ।

ଶିଶୁଟିକୁ କିଭଳି ଜନ୍ମରୁ ପୋଷଣ ମିଳିବ, ସୁସ୍ଥ ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିବ ଏବଂ ମହିଳାଟିଏ କିଭଳି ସ୍ୱାବଲମ୍ବୀ ହୋଇ ସ୍ୱାଭିମାନର ସହ ସମାଜରେ ରହିବ ସେନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା । ତେବେ ପ୍ରତିନିଧିଦଳ ଏହି କର୍ମଶାଳା ମାଧ୍ୟମରେ ଖାଲି ଯୋଜନା ବିଷୟରେ ଜାଣିବେ ନାହିଁ, ୩ ଦିନରୁ ଗୋଟେ ଦିନ କ୍ଷେତ୍ର ପରିଦର୍ଶନ ମଧ୍ୟ କରିବେ ବୋଲି ବିଭାଗୀୟ ସଚିବ କହିଛନ୍ତି ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସରକାର ବା ମୁଖ୍ୟମନ୍ତ୍ରୀଙ୍କୁ ପୁଣି ତେର୍ଛା ବାଣ ମାରିଛନ୍ତି। ମଞ୍ଚ ଉପରେ ସଭା ଭିତରେ ମନ୍ତ୍ରୀ ଏବଂ ସଚିବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ୍ କରିଛନ୍ତି । କହିଛନ୍ତି, “ପଞ୍ଚଦଶ କମିଶନରେ ଓଡ଼ିଶାକୁ ୮ ହଜାର ୫୦୦ କୋଟି ଆସିଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି । ଦିଲ୍ଳୀରୁ ସିଧା ଅର୍ଥ ପଞ୍ଚାୟତକୁ ଯାଉଛି । ହେଲେ କନଭରଜେନ୍ସ ନାଁରେ ପୁଣି ଦିଲ୍ଳୀ ପଳାଉଛି । କନଭରଜେନ୍ସ ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି । ହେଲେ ଏହା ଉଚିତ୍ ନୁହେଁ । ଓଡ଼ିଶାରେ ରାଜସ୍ଵର ଅଭାବ ନାହିଁ । ସରପଞ୍ଚ, ଜିଲ୍ଳା ପରିଷଦ, ଅଧ୍ୟକ୍ଷଙ୍କ ପାଣ୍ଠିରେ ରାଜ୍ୟ ସରକାର ହାତ ନମାରିଲେ ଭଲ । ନାଚ ଗୀତରେ ୩୦୦୦ କୋଟି ଖର୍ଚ୍ଚ କରିଦେଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ।”

ସିଧାସଳଖ କମିଶନ ଦେଉଥିବା ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ଜିଲ୍ଲା ପରିଷଦଙ୍କ ଏହି ପାଣ୍ଠିରେ ସରକାର ହାତ ନମାରନ୍ତୁ ବୋଲି ରାଜ୍ୟସରକାରଙ୍କ ସମାଲୋଚନା କରି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ରାଜ୍ୟ ପଞ୍ଚୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, “ଧର୍ମେନ୍ଦ୍ରଙ୍କ ଅଭିଯୋଗ ଠିକ୍ ନୁହେଁ । ପଞ୍ଚାୟତକୁ ଆସୁଥବା ଅର୍ଥ ସମ୍ପୂର୍ଣ୍ଣ ସଠିକ୍ ବିନିଯୋଗ ହେଉଛି । ଟଙ୍କା କେବେ ଫେରେନାହିଁ । ଆଉ ଅର୍ଥ ଏପଟ ସେପଟ ଖର୍ଚ୍ଚ ହେବାର ନଜିର ନାହିଁ । ବ୍ୟବସ୍ଥିତ ଢଙ୍ଗରେ ଅର୍ଥ କାର୍ଯ୍ୟକାରୀ ହେଉଛି ଆମେ କୌଣସି ବେଆଇନ କାମ କରୁନୁ ।”