ରାଜ୍ୟରେ କରୋନା ଆଡଭାଇଜରି ଜାରି କଲେ ସରକାର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନାର ନୂଆ ଭାରିଏଣ୍ଟ ବୀଏଫ.୭ ଦେଶରେ ପ୍ରବେଶ କରିବା ପରେ ରାଜ୍ୟ ସରକାର ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହିକ୍ରମେ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଓ କିଛି ଲକ୍ଷଣ ଦେଖାଦେଲେ ନିଜକୁ ଆଇସୋଲେଟ କରିବାକୁ କୁହାଯାଇଛି । କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏବେ ଚାଲିଥିବା ଟେଷ୍ଟିଂକୁ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ଶାଳିନୀ ପଣ୍ଡିତ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏବେ ଦୈନିକ ୧୫ଟି କରୋନା ମାମଲା ସାମ୍ନାକୁ ଆସୁଥିବାବେଳେ ହସ୍ପିଟାଲରେ ୫୪ଜଣ ରୋଗୀ ରହିଛନ୍ତି । ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ଆଉ ୨୦ ବୃଦ୍ଧି ହେବ । ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ଆସନ୍ତା ୨୭ରେ ମକଡ୍ରିଲ ହେବ । ରୋଗୀସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ ସେନେଇ ମକଡ୍ରିଲ କରାଯିବ ।