କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଗୋବିନ୍ଦ କଣ୍ଟାବାଞ୍ଜି ଜେଲର ଏକ ଛୋଟ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କଣ୍ଟାବଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କିନ୍ତୁ ଜେଲ ଭିତରେ ଗୋବିନ୍ଦ କିପରି ଏମିତି କାମ କଲେ ତାହା ଅସ୍ପଷ୍ଟ ରହିଛି । ଗୋବିନ୍ଦ ଆଜି କୋର୍ଟରେ ହାଜର ହେବାର ଥିଲା ।
ଅନ୍ୟପଟେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର କହିବାନୁସାରେ, ଉକ୍ତ ଘଟଣାରେ ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା ସେଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ସତ ଲୁଚାଇବାକୁ ବ୍ୟବସ୍ଥା କରିବା ସହ ଦିବ୍ୟଶଙ୍କରଙ୍କୁ କ୍ଲିନଚିଟ ଦେବା ପାଇଁ ଉଦ୍ୟମ କରାଯାଉଛି । ମାରିଲେ ନ ମରିବାକୁ ବାଧ୍ୟ କଲେ ଏନେଇ ତଦନ୍ତ ହେବା ଉଚିତ ।
ସେହିପରି ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ମମିତାଙ୍କ ମାମଲାରେ ଗୋବିନ୍ଦଙ୍କ ସହ ପୂର୍ବତନ ମନ୍ତ୍ରୀ ସାମିଲ ଥିଲେ । ଗୋବିନ୍ଦଙ୍କୁ ମୁକ୍ତି ପାଇଁ ପୂର୍ବତନ ମନ୍ତ୍ରୀ କଥା ଦେଇଥିଲେ କିନ୍ତୁ ହାତ ଛାଡ଼ିଦେଲେ । ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ଚାପରେ ଥିଲେ । ପୂର୍ବତନ ମନ୍ତ୍ରୀଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଭଳି ଚର୍ଚ୍ଚା ମିଳୁଥିଲା । ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଛେଦ ପଡ଼ିଗଲା । ଗୋବିନ୍ଦଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଭାବେ ବଡ଼ ଷଡ଼ଯନ୍ତ୍ର ରହିଛି । ଏହା ଆତ୍ମହତ୍ୟା ନୁହେଁ ହତ୍ୟା ହୋଇପାରେ ବୋଲି ଆମେ ସନ୍ଦେହ କରୁଛୁ । ସିବିଆଇ ତଦନ୍ତ କଲେ ସବୁ ପ୍ରଶ୍ନ ଉପରୁ ପରଦା ଉଠିଯିବ ବୋଲି ସାଲୁଜା କହିଛନ୍ତି ।