ଭୁବନେଶ୍ୱର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନ ଜିତିବା ଲାଗି ବିଜୁ ଜନତା ଦଳ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭୋଟରଙ୍କୁ ଭ୍ରମିତ କରୁଛି। ପୂର୍ବରୁ ବିଜୁ ଜନତା ଦଳ ପ୍ରଶାସନ ଅଧିକାରୀ, ଏସ୍ଏଚ୍ଜି, ଏମ୍ବିକେ, ସିଆର୍ପି ମାଧ୍ୟମରେ ଟଙ୍କା ବଣ୍ଟନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ମିଥ୍ୟା ଅଡିଓର ଚକ୍ରାନ୍ତ କରି ଭୋଟରଙ୍କୁ ବିଚଳିତ କରିବାର ସମସ୍ତ ଅପଚେଷ୍ଟା କରିଥିଲା। ଏନେଇ ବଜେପି ସମସ୍ତ ତଥ୍ୟ ଓ ପ୍ରମାଣ ସହ ସିଇଓଙ୍କ ପାଖରେ ଫେରାଦ ହୋଇଥିଲା। ସିଇଓ ମଧ୍ୟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଶାସକ ଦଳ ନସୁଧୁରି ପୁଣି ଏକ ମିଥ୍ୟା ଅଡିଓ ପ୍ରସ୍ତୁତ କରି ସାଧାରଣ ଭୋଟରଙ୍କୁ ଜୋର ଜବରଦସ୍ତ ପ୍ରଭାବିତ କରି ଭୋଟ ହାତେଇବାର ଅପଚେଷ୍ଟା କରିଛି।
ବିଜେଡିର ଫେକ୍ ଅଡିଓରେ କୁହାଯାଇଛି ଯେ, ସ୍ୱାଧୀନପ୍ରାର୍ଥୀ ରାଜୁ ଦାସଙ୍କ ସମର୍ଥକମାନେ ଜଣେ ମୁସଲମାନ ଯୁବକଙ୍କୁ ଛୁରାମାଡ କରିଛନ୍ତି। ତିହିଡି ବ୍ଲକରେ ପୁଲିସ ବର୍ତ୍ତମାନ ୧୪୪ ଧାରା ଜାରି କରିଛି। କିନ୍ତୁ ବାସ୍ତବରେ ଏହି ଅଡିଓ ପଛରେ ବିଜୁ ଜନତା ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନଙ୍କ ହାତ ରହିଛି। ଏନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ଆଭିମୁଖ୍ୟରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଅଭିଯୋଗ ପତ୍ର ଦେଇଛନ୍ତି।
ସୂଚନାଥାଉ କି, ଆସନ୍ତାକାଲି ଧାମନଗର ଉପନିର୍ବାଚନ ହେବାକୁ ଯାଉଛି। ବିଜେଡି ହାରିବା ଭୟରେ ସାମ୍ପ୍ରଦାୟିକ ଦଙ୍ଗା ଓ ଉତେଜନା ସୃଷ୍ଟି କରି ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଚେଷ୍ଟା କରୁଛି। ଧାମନଗର ନିର୍ବାଚନ ମଣ୍ଡଳୀର ନିର୍ବାଚନ ନିୟମକୁ ଖୋଲାଖୋଲି ଉଲଘଂନ କରୁଛି ବିଜୁ ଜନତା ଦଳ। ଏହି ଅଂଚଳରେ ମୁକ୍ତ, ନିରପେକ୍ଷ ଉପନିର୍ବାଚନ କରିବାକୁ ବିଜେପି ସିଇଓଙ୍କୁ ଦାବି କରିଛି। ଯେଉଁମାନେ ଏହି ମିଥ୍ୟା ଅଡିଓ କରିଛନ୍ତି ସେମାନଙ୍କ ବିରୋଧରେ ପୁଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି।
ଏହି ପ୍ରତିନିଧି ମଣ୍ଡଳିର ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।