ଭୁବନେଶ୍ବର,ଏନ୍ଏନ୍ଏସ୍: ଅକ୍ଟୋବର ୨୯ ଏବଂ ୩୦ ତାରିଖରେ ଓଡ଼ିଶା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ସଂଘ (ଏଓଜିଓ)ର ବାର୍ଷିକ ସମ୍ମିଳନୀ ଭୁବନେଶ୍ବରର ଦ ନିୟୁ ମାରିଅନ୍ ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞମାନେ ଏବଂ ସ୍ନାତକୋତର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
ବିଜ୍ଞାନସମ୍ମତ ତଥ୍ୟ ପ୍ରଦର୍ଶନ ଏହି ସମ୍ମିଳନୀର ନାରୀସ୍ବାସ୍ଥ୍ୟ ହିଁ ବିଷୟବସ୍ତୁ ରହିଥିଲା। ଏହି ୨ ଦିନରେ ସାଇଣ୍ଟିଫିକ୍ ପେପର୍, ପୋଷ୍ଟର ପ୍ରେଜେଣ୍ଟେସନ୍, ଡିବେସ୍, କି ନୋଟ ଆଡ୍ରେସ୍, ଭିଡିଓ ସେସନ୍ ଏବଂ ଜଟିଳ ଗର୍ଭାବସ୍ଥା ଉପରେ କୁଇଜ୍ ଆୟୋଜନ ହୋଇଥିଲା। ବାର୍ଷିକ ମହିଳା ଏବଂ ଶିଶୁ ମୃତ୍ୟୁହାର କମାଇବା ପାଇଁ ଉଦ୍ଦିଷ୍ଟ ଆଲୋଚନା ଉପରେ ଏହି ସମ୍ମିଳନୀରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଜଟିଳ ଗର୍ଭାବସ୍ଥା ଏବଂ ସ୍ତ୍ରୀ ଯୌନ କର୍କଟ ରୋଗର ପ୍ରତିରୋଧ ମର୍ମରେ ଏଥିରେ ଆଲୋଚନା କରାଯାଇଛି।
ନାରୀ ନିର୍ଯ୍ୟାତନା ଉପରେ ପାନେଲରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସହିତ ପୁଲିସ୍, ଆଇନ୍ ବିଶେଷଜ୍ଞ, ପ୍ରଶାସନିକ ଅଧକାରୀ ଏବଂ ସମାଜସେବୀମାନେ ଯୋଗଦେଇ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ।
ମାନ୍ୟବର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏଥିରେ ମୁଖ୍ୟ ଅତିଥି ଏବଂ ଡ. ହିଷିକେଶ ପାଏ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରଫେସର ଡ. ତୁଷାର କର ଓ ପ୍ରଫେସର ସୁଜାତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଭେଷଜ ମହାବିଦ୍ୟାଳୟର ସ୍ନାତକୋତର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିରେ ଏଓଜିଓର ସଭାପତି ପ୍ରଫେସର ତୁଷାର କର ସ୍ବାଗତ ସମ୍ଭାଷଣ ଏବଂ ଏଓଜିଓର ସମ୍ପାଦିକା ପ୍ରଫେସର ସସ୍ମିତା ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ।