ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଓ ଏନ୍ଡିପିଏସ୍ ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବକାରୀ ନିର୍ଦ୍ଦେଶାଳୟରେ ଅଭାସିକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସମଗ୍ର ରାଜ୍ୟର ଅବକାରୀ ଅଧିକାରୀ ମାନେ ଯୋଗଦେଇଥିଲେ।
କର୍ମଶାଳାରେ ଖୋର୍ଦ୍ଧା ପବ୍ଲିକ ପ୍ରସିକ୍ୟୁଟର ଶରତ ଚନ୍ଦ୍ର ସାମନ୍ତ ଓ ଅବକାରୀ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଶ୍ମୀ ରଞ୍ଜନ ବ୍ରହ୍ମା ଓ ଏନ୍ଡିପିଏସ୍ ଆଇନ ମତେ ଚଢଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରମାଣର ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ। ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଅବକାରୀ ଯୁଗ୍ମ ଆୟୁକ୍ତ ଓ ପିଡିଆର୍ ଆଇନର କାର୍ଯ୍ୟ କାରିତା ଉପରେ ଆଲୋକପାତ କରିଥିଲେ।
ଏହାକୁ ଅବକାରୀ ଉପ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ। ଏଥି ସହିତ ଆଇନ୍ ଅନୁଯାୟୀ ଚଢଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ତଥା କେସ୍ ର୍ କମ୍ପାଉଡିଙ୍ଗ୍ ଏବଂ ବ୍ୟାର୍ଜାପ୍ତି ଉପରେ ତର୍ଜମା କରିଥିଲେ। ଏହି କର୍ମଶାଳାରେ ଅତିରିକ୍ତ ଆୟୁକ୍ତ ରାମ ଚନ୍ଦ୍ର ପାଲଟା, ଯୁଗ୍ମ ଆୟୁକ୍ତ ଡକ୍ଟର ଦିବ୍ୟ ଲୋଚନ ମହାନ୍ତ, ରଜତ କୁମାର ପ୍ରହରାଜ, ଡମ୍ବରୁଧର ଖଣ୍ଡା, ଦଣ୍ଡପାଣି ବେହେରା ପ୍ରମୁଖ ଯୋଗଦେଇଥିଲେ।
ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ସଠିକ ପରିଚାଳନା, ଉପଯୁକ୍ତ ସାକ୍ଷ୍ୟ ପ୍ରଦାନ, ତ୍ୱରିତ ଫଏସଲା ଓ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅବକାରୀ କମିସନର ସିଂହଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସରେ ଏଭଳି ତାଲିମ/କର୍ମଶାଳା ହୋଇ ଅବକାରୀ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯାଉଛି ବୋଲି ଉପ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।