ଧାମନଗର ଉପନିର୍ବାଚନ: ୪ କେନ୍ଦ୍ରୀୟ ଓ ୨୩ ପ୍ଲାଟୁନ ରାଜ୍ୟ ପୁଲିସ ଫୋର୍ସ ହେବେ ନିୟୋଜିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଧାମନଗର ଉପନିର୍ବାଚନ ନେଇ ଶନିବାର ବସିଥିଲା ସର୍ବଦଳୀୟ ବୈଠକ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଆଲୋଚନା ହୋଇଛି । ନିର୍ବାଚନରେ ୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ ୨୩ ପ୍ଲାଟୁନ ରାଜ୍ୟ ପୁଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ଧାମନଗର ଉପ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ଶନିବାର ସର୍ବ ଦଳୀୟ ବୈଠକ ଡାକି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବା ନେଇ ଆଲୋଚନା କରିଛନ୍ତି ସିଇଓ । ଧାମନଗରରେ ମୋଟ ୨୫୨ଟି ବୁଥ ଥିବାବେଳେ ୧୨୬ଟି ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ସେହିପରି ୧୦୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଓ ୨୩ ପ୍ଲାଟୁନ ରାଜ୍ୟ ପୋଲିସ ଫୋର୍ସ ନିୟୋଜିତ ହେବେ ।

ଭୋଟିଂ ପାଇଁ ୩ ତାରିଖ ସରକାରୀ ଛୁଟି ଘୋଷଣା ହୋଇଥିବାବେଳେ ଭୋଟିଂ ଓ ଗଣତି ଦିନ ନିର୍ବାଚନ ମଣ୍ଡଳୀରେ ବନ୍ଦ ରହିବ ମଦ ଦୋକାନ । ଦିବ୍ୟାଙ୍ଗଙ୍କ ଭୋଟରଙ୍କ ଲାଗି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ।