ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜୟ ନାୟକ । ତାଙ୍କର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସରଳ ବ୍ୟକ୍ତିତ୍ବ ଓ ନିର୍ମଳ ଭାବମୂର୍ତ୍ତି ନବୀନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଲୋକପ୍ରିୟ ନେତା ଭାବେ ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ନାଁରେ ଓଡିଶାକୁ ସର୍ବାଧିକ କାଳ ଶାସନ କରିଥିବାର ରେକର୍ଡ ରହିଛି ।
୧୯୪୬ ମସିହା ଆଜିର ଦିନରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସେ ସାନ ପୁଅ । ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତି ଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ ।
୫୦ ବର୍ଷ ବୟସରେ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରି ଆସିକା ଲୋକସଭା ଆସନରୁ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଲଗାତାର ୩ ଥର ସଂସଦକୁ ନିର୍ବାଚିତ ହେଲା ପରେ ୨୦୦୦ ମସିହାରେ ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ । ଦୀର୍ଘ ୨୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ଶାସନ ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ । ପ୍ରାଞ୍ଜଳ ଓଡିଆ ନଜାଣି ମଧ୍ୟ ଓଡିଆଙ୍କ ନେତା ଭାବେ ସେ ୨୨ ବର୍ଷ ଧରି ରାଜ୍ କରୁଛନ୍ତି । ୨୦୦୦ ମସିହାରେ କଂଗ୍ରେସକୁ ମାତ୍ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଏହି ଜନନାୟକ । ବିଚକ୍ଷଣ ଓ ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ସେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ।