ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୧୬ ତାରିଖରେ କୋଟିଆ ଓ ଦେଓମାଳି ଚାଲ ଅଭିଯାନ ଆରମ୍ଭ ହେବ । ଏଥିରେ ଓଡିଶାର ବିଭିନ୍ନ ସଂଗଠନ ଓ ଶହ ଶହ ଓଡିଆ ସାମିଲ ହେବେ । ଆନ୍ଧ୍ରର ଷଡଯନ୍ତ୍ର ଆଗରେ ମୁଣ୍ଡ ନୁଆଁଇବ ନାହିଁ ଓଡିଆ । କୋଟିଆରେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରି ଆସନ୍ତା ୧୬ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ କୋଟିଆ ଓ ଦେଓମାଳି ଚାଲ ଅଭିଯାନ ହେବ । ସମସ୍ତ ସଂଗଠନର ସଦସ୍ୟ ଏକାଠି ହୋଇ କୋରାପୁଟରୁ କୋଟିଆ ଅଭିମୁଖେ ବାହାରିବେ । ଦେଓମାଳି ଏବଂ କୋଟିଆ ଗସ୍ତ କରିବା ପରେ କୋଟିଆରେ ଏକ ସମାବେଶର ଆୟୋଜନ କରାଯିବ ।
ସମାବେଶରେ କୋଟିଆ ଗାଁର ଲୋକମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବ । ଏହାପରେ ନେରେଡି ବାଲସା ହେଇ ପଟାଙ୍ଗି ଦେଇ ଫେରିବେ । ତେବେ ପଟାଙ୍ଗିରେ ବିଭିନ୍ନ ଦାବି ସମ୍ବଳିତ ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାରଙ୍କୁ ପ୍ରଦାନ କରାଯିବ । ଏଥିସହ କୋରାପୁଟ ଜିଲ୍ଲା ପ୍ରଶାସନକୁ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଦାବି ପତ୍ର ଦିଆଯିବ । ଦାବି ଭିତରେ ମୁଖ୍ୟତଃ ଓଡିଶାର ସ୍ବାର୍ଥ ସୁରକ୍ଷା, ଓଡିଶାର ସୀମା ସୁରକ୍ଷା, କୋଟିଆ ଓ ଦେଓମାଳି ସମସ୍ୟାର ସ୍ଥାୟୀ ସମାଧାନ ରହିଛି ।