୧୦ରୁ ଖୋଲିବ ସ୍କୁଲ, ନଭେମ୍ବର ସୁଦ୍ଧା ୪୦% କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨ ବର୍ଷ ପରେ ସ୍କୁଲରେ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ଯେପରି ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ପାଠ୍ୟଖସଡା ଶେଷ ହେବ ଏବଂ ପିଛିଲା ବର୍ଷର କିଛି ନିର୍ଦ୍ଦିଷ୍ଟ କୋର୍ସ ଶେଷ ହେବ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି । ପୂଜାଛୁଟି ଲାଗି ସ୍କୁଲ ଛୁଟି ରହିଥିବା ବେଳେ ଆସନ୍ତା ୧୦ରେ ସବୁ ସ୍କୁଲ ଖୋଲିବ । ସରକାରୀ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲରେ ନଭେମ୍ବର ଶେଷ ସୁଦ୍ଧା ଚଳିତବର୍ଷର ୪୦% କୋର୍ସ ଶେଷ ହେବାଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ବର୍ଷ ପିଲାମାନେ ଶ୍ରେଣୀ ପାଠପଢ଼ାରୁ ବଞ୍ôଚତ ହୋଇଥିବା ବେଳେ ୩ ତୃତୀୟ ଏବଂ ୫ମ ଶ୍ରେଣୀ ପିଲାଙ୍କ ମଧ୍ୟରୁ ପ୍ରାୟ ୬୦% ଛାତ୍ରଛାତ୍ରୀ ଇଂରାଜୀ ଏବଂ ଗଣିତରେ ଦୁର୍ବଳ ରହିଛନ୍ତି ।

ସେହିପରି ୬ଷ୍ଟରେ ୬୫% ପିଲା ଗଣିତ, ୫୦% ପିଲା ଇଂରାଜୀରେ ଦୁର୍ବଳ ରହିଛନ୍ତି । ସପ୍ତମରେ ପ୍ରାୟ ୫୫%ରୁ ଅଧିକ ଛାତ୍ରଛାତ୍ରୀ ଇଂରାଜୀ, ଗଣିତ, ବିଜ୍ଞାନରେ ଅବୁଝା ରହିଥିବା ବେଳେ ଅଷ୍ଟମରେ ୬୦%ରୁ ଅଧିକ ଛାତ୍ରଛାତ୍ରୀ ଗଣିତ, ଇଂରାଜୀ, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟରେ ଦୁର୍ବଳ ରହିଥିବା ଜଣାପଡ଼ିଛି । ତେଣୁ ଚଳିତବର୍ଷ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷର ପାଠ୍ୟଖସଡା ଶେଷ କରିବା ସହ ପୂର୍ବ ବର୍ଷର ପାଠ ଯେପରି ପିଲାମାନେ ପଢ଼ିବେ ସେଥିଲାଗି ଓସେପା ପକ୍ଷରୁ ବ୍ଲୁପ୍ରିଣ୍ଟସ୍ ପ୍ରସ୍ତୁତ କରାଯାଇ ସ୍କୁଲକୁ ଦିଆଯାଇଛି । ରାଜ୍ୟରେ ଉଭୟ ନବମ ଏବଂ ଦଶମ ଶ୍ରେଣୀ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି ।