ଭୁବନେଶ୍ବର,ଏନ୍ଏନ୍ଏସ୍: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ଜାରି ରହିଛି । ସକ୍ରିୟ ଲଘୁଚାପ ଯୋଗୁଁ ଟ୍ବନ ସିଟି କଟକ ଏବଂ ଭୁବନେଶ୍ବରକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ଜାରି କରିଛି ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ତଥା ଆନ୍ଧ୍ରଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ବର ଏବଂ କଟକରେ ବର୍ଷା ଜାରି ରହିଛି । ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ହେଉଛି ।ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବିଜୟା ଦଶମୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋବାର ସମ୍ଭାବନା ରହିଥିବା ସୂଚନା ମିଳିଛି । ମାଲକାନଗିରି, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ନେଇ ସତର୍କ କରାଯାଇଛି ।ଏହା ମଧ୍ୟ ପଢ଼ନ୍ତୁ: ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: କାଲିଠୁ ପ୍ରବଳ ବର୍ଷା, ଫିକା ପଡିବ ପୂଜା ବଜାରଗତ ୨୪ ଘଣ୍ଟାରେ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲା କାକଟପୁରରେ ୧୬୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଅସ୍ତରଙ୍ଗରେ ୧୪୪ ମିମି ରହିଥିବାବେଳେ ଗୋପ ଅଞ୍ଚଳରେ ୧୦୫ ମିମି ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୧୪୦ ମିମି ଏବଂ ନୂଆଗାଁରେ ୧୩୨ ମିମି ବର୍ଷା ରେକର୍ଡ ହୋଇଛି ।ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୧୨୦ ମିମି, ଆଳିରେ ୮୮ ଓ ରାଜକନିକାରେ ୭୧ ମିମି ବର୍ଷା ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ୯୮ ମିମି, ଚାନ୍ଦବାଲିରେ ୮୧.୨ ମିମି ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲା ଭୋଗରାଇରେ ୭୩ ମିମି ବର୍ଷା ହୋଇଥିବାବେଳେ ଜଳେଶ୍ବରରେ ୭୧ ମିମି ବର୍ଷା ରେକର୍ଡ ହୋଇଛି ।