ଭୁବନେଶ୍ବର,ଏନ୍ଏନ୍ଏସ୍: ଏଣିକି ଗାଡିରେ ଲାଗିବ ପ୍ୟାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବା ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି।
ଆସନ୍ତା ୨୦୨୩ ବେଳକୁ ଗାଡି କିଣିବା ବେଳେ ଯେଉଁ ପଞ୍ଜିକରଣ ହେଉଛି ସେହି ସମୟରେ ଏହି ଟ୍ରାକିଂ ଡିଭାଇସ ବା ଯନ୍ତ୍ର ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି। ଆଉ ଯେଉଁମାନେ ୨୦୨୩ ପୂର୍ବରୁ ଗାଡି କିଣିଥିବେ ସେମାନେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଲଗାଇବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଦତ୍ତ ୫୩ଟି ନିୟମରୁ ୪୪ଟି କଡାକଡି ଲାଗୁ ହୋଇଛି। ଅନ୍ୟ ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରାଯିବ। ୨୦୧୯ ମେ’ ୧୯ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା।