ଭୁବନେଶ୍ବର,ଏନ୍ଏନ୍ଏସ୍: ନାମ ଲେଖାଇବା ପୂର୍ବରୁ ପରୀକ୍ଷାର୍ଥୀ ମାନେ ସାବଧାନ । ଓଡି଼ଶାରେ ରହିଛି ୨ଟି ନକଲି ବିଶ୍ବବିଦ୍ୟାଳୟ । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ପ୍ରକାଶିତ ରିପୋର୍ଟର ଏ ନେଇ ଉଲ୍ଲେଖ ରହିଛି । ଏହି ବିଶ୍ବବିଦ୍ୟାଳୟର ଡିଗ୍ରୀ ସାର୍ଟିଫିକେଟ ଦେବାକୁ ଯୋଗ୍ୟତା ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି । ୟୁଜିସି ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଦେଶର ୨୧ଟି ବିଶ୍ବବିଦ୍ୟାଳୟର ନାଁ ରହିଛି । ଏହି ସମସ୍ତ ବିଶ୍ବବିଦ୍ୟାଳୟରେ ଓଡ଼ିଶାର ରହିଛି ୨ଟି ନକଲି ବିଶ୍ବବିଦ୍ୟାଳୟ ।
ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡର ପ୍ଲଟ ନମ୍ବର ୨୪୨ ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ବବିଦ୍ୟାଳୟ ରୋଡ଼ରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି । ତେବେ ଏହି ୨ଟି ବିଶ୍ବବିଦ୍ୟାଳୟକୁ ୟୁଜିସି ନକଲି ବିଶ୍ବବିଦ୍ୟାଳୟ ବୋଲି ଦର୍ଶାଇଛି ।
ତେବେ ଦେଶର ୨୧ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି । ଏମାନଙ୍କର ଡିଗ୍ରି ସାର୍ଟିଫିକେଟ୍ ଦେବାର ଯୋଗ୍ୟତା ନାହିଁ । ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି ୟୁଜିସି । ନକଲି ବିଶ୍ବବିଦ୍ୟାଳୟର ତାଲିକାରେ ଥିବା ରାଜ୍ୟଗୁଡିକ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୮ଟି, ଉତ୍ତର ପ୍ରଦେଶର ୪ଟି, ପଶ୍ଚିମବଙ୍ଗରେ ୨ଟି ନକଲି ବିଶ୍ବବିଦ୍ୟାଳୟ, ପଣ୍ଡିଚେରୀ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କେରାଲା ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଥିବା ସୂଚନା ଦେଇଛି ୟୁଜିସି।