ଭୁବନେଶ୍ବର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ଆଡମିଶନ ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ତାଲିକା । ବିଜ୍ଞାନ ଓ ବାଣିଜ୍ୟ କଟ ଅଫ ମାର୍କରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଶୀର୍ଷରେ ରହିଛି। ସେହିପରି କଳାରେ ପୁରୀ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଶୀର୍ଷରେ ରହିଛି। ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍ଭିଏମ୍ କଲେଜ ଦ୍ବିତୀୟ ସ୍ଥାନରେ ରହିଛି। ୯୩% କଟଅଫ ସହିତ ଭୁବନେଶ୍ବର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି।
ସେହିପରି ବାଣିଜ୍ୟରେ ରେଭେନ୍ସା ସାଧାରଣ ବର୍ଗରେ ୮୪.୧୭% କଟଅଫ୍ ନେଇଥିବା ବେଳେ ୮୦.୬୭% କଟଅଫ୍ ସହିତ ରାଉରକେଲା ଜୁନିୟର କଲେଜ ଦ୍ଵିତୀୟରେ ରହିଛି। ୭୯.୮୩% କଟଅଫ୍ ସହିତ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି। ସେହିଭଳି କଳା ବିଭାଗରେ 83.50% କଟଅଫ ସହ ପ୍ରଥମେ ରହିଛି ପୁରୀ କୃଷ୍ଣପ୍ରସାଦ ଜୁନିୟର କଲେଜ, ଦ୍ବିତୀୟରେ ରେଭେନ୍ସାର କଟଅଫ ୮୩.୩୩% ରହିଛି, ତୃତୀୟରେ ନରସିଂହପୁର ଜୁନିୟର କଲେଜରେ ୮୩.୧୭% କଟଅଫ୍ ମାର୍କ ରହିଛି।
ଯୁକ୍ତ ଦୁଇ ପଢ଼ିବା ପାଇଁ ୪ ଲକ୍ଷ୍ୟ ୮୦ ହଜାର ୭୦୪ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୪ ଲକ୍ଷ୍ୟ ୪ ହଜାର ୪୦୦ ଜଣ ଛାତ୍ରଛାତ୍ରୀଙ୍କ ପ୍ରଥମ କଟଅଫ୍ ମାର୍କ ତାଲିକାରେ ନିଜ ବିଭାଗ ଅନୁଯାୟୀ ସିଲେକ୍ସନ କରାଯାଇଛି। କଳା ବିଭାଗରେ ୨ ଲକ୍ଷ ୭୭ ହଜାର ୨୧୮ ସିଟ୍ ରହିଥିବା ବେଳେ ୨ଲକ୍ଷ ୪୯ ହଜାର ୭୧୩ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି। ସେହିପରି ବିଜ୍ଞାନରେ ୧ ଲକ୍ଷ ୬୧ ହଜାର ୫୮୦ ସିଟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୧୭ ହଜାର ୬୫୩ ଏବଂ ବାଣିଜ୍ୟରେ ୪୫ ହଜାର ୩୩୨ ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୫ ହଜାର ୫ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସେହିପରି ସଂସ୍କୃତରେ ୧୩ ହଜାର ୨୬୮ଟି ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୦୦୧ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୨୩୨ ସିଟ୍ ରହିଥିବା ବେଳେ ପର୍ଥମ ପର୍ଯ୍ୟାୟରେ ୫୦୨୮ ଜଣଙ୍କୁ ଚୟନ କରାଯାଇଛି।