ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲିଲେ ବିଜେଡି ବିଧାୟକ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଗୃହରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ଉଦବେଗ ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗର ଗୁମର ଖୋଲିଛନ୍ତି ଶାସକ ଦଳ ବିଧାୟକ ଭାଗୀରଥି ସେଠୀ। ସ୍ବାସ୍ଥ୍ୟ ବିଭାଗର ବାସ୍ତବ ଚିତ୍ରକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ।

ବିଧାୟକ ଭାଗୀରଥି ସେଠୀ ସ୍ବାସ୍ଥ୍ୟ ବିଭାଗର ନିଛକ ଚିତ୍ର ପଦାରେ ପକାଇଛନ୍ତି। ଆନନ୍ଦପୁର ସବଡିଭିଜନରେ ସ୍ବାସ୍ଥ୍ୟ ବିଭାଗର ଛବି ଅତ୍ୟନ୍ତ ଦୁଃଖଦାୟକ। ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ନାହାନ୍ତି, ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି। ତେଣୁ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଭିତ୍ତିଭୂମିକୁ ତୁରନ୍ତ ସଜଡ଼ାଯାଉ, ଆବଶ୍ୟକୀୟ ଡାକ୍ତର, ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ ବୋଲି କହିଛନ୍ତି ବିଧାୟକ। ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କହିବ ଯାହା ନିଜ ଗାଲରେ ଚାପୁଡ଼ା ମରିବ ତାହା ବୋଲି କହିଛନ୍ତି ବିଧାୟକ ଭାଗୀରଥି ସେଠୀ।

ସ୍ବାସ୍ଥ୍ୟ ବିଭାଗରେ ଉନ୍ନତି ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଯେ ନିଜେ ଅସୁସ୍ଥ ତାର ଉଦାହରଣ ଦେଇଛନ୍ତି ବିଧାୟକ। ଶାସକଦଳର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନଙ୍କ ପରେ ବିଧାୟକ ଭାଗୀରଥି ସେଠୀ ବିଧାନସଭାରେ ସରକାରଙ୍କୁ ସମାଲୋଚନା କରିବା ଶାସକ ଦଳକୁ ଅଡୁଆରେ ପକାଇଛନ୍ତି।

ରାଜ୍ୟରେ ଜଳ ସଂରକ୍ଷଣ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟରଞ୍ଜନ କହିଛନ୍ତି ମହାନଦୀକୁ ନେଇ ଆମେ ଛତିଶଗଡ ନାଁରେ ଅଭିଯୋଗ କରୁଛୁ। କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀ ଗୁଡିକର ଜଳକୁ ସଂରକ୍ଷଣ କରାଯାଉ ନାହିଁ । କୁଆଖିଆ ପାଣି ସମୁଦ୍ରକୁ ବୋହିଯାଉଛି। କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ ସରକାର। ଏହାସହ ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରିଛନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ?