ରାଜ୍ୟ ବଜେଟ ଉପସ୍ଥାପନ, ଦେଶ ତୁଳନାରେ ବଢ଼ିଛି ଅଭିବୃଦ୍ଧି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ଋଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ଦେଶର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୨-୨୩ରେ ରାଜ୍ୟର ଜିଏସ୍‌ଡିପି ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି । ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ବଳକା ହାସଲ କରୁଛି । ୨୦୨୨-୨୩ ମୋଟ କାର୍ଯ୍ୟକ୍ରମ ବ୍ୟୟ ୧.୧୦ ଲକ୍ଷ କୋଟି ଆକଳନ କରାଯାଇଛି । ସରକାରୀ କ୍ଷେତ୍ର ପାଇଁ ୧ଲକ୍ଷ କୋଟି ଓ ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି, ବିପର୍ଯ୍ୟୟ ମୁକାବିଲା ପାଇଁ ୩ଶହ ୨ଶହ କୋଟି ବ୍ୟୟ ବରାଦ ପ୍ରସ୍ତାବ ପାରିତ ହୋଇଛି ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ହଜାର ୨ଶହ କୋଟି ବ୍ୟୟବରାଦ ହୋଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲକୁ ପୈଠ ପାଇଁ ୧୮୬୪ କୋଟି ହୋଇଛି । ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟ ପାଇଁ ୨ ହଜାର କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି, ଏସଏଚଜି ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୨-୨୩ ଶିକ୍ଷା କ୍ଷେତ୍ର ପାଇଁ ୨୬ହଜାର ୪୯୨ କୋଟି ବ୍ୟୟବରାଦ ହୋଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ହଜାର ୩୪୪ କୋଟି ଓ କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି ।