ଭୁବନେଶ୍ୱର,ଏନ୍ଏନ୍ଏସ୍: ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇଥିବା ପୌର ନାମାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇଛି। ଶେଷ ଦିନରେ ନାମାଙ୍କନ ଭରିବା ଲାଗି ରାଜ୍ୟର ସମସ୍ତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରାର୍ଥୀ ଏବଂ ସମର୍ଥକଙ୍କର ପ୍ରବଳ ଭିଡ଼ ଜମିଥିଲା। ଅନ୍ତିମ ଦିନରେ ମୋଟ ୫୦୪୫ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି। ଏଥିସହ ୨ରୁ ୭ ତାରିଖ ମଧ୍ୟରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରକୁ ମିଶାଇଲେ ଏଥର ପୌରନିର୍ବାଚନରେ ରାଜ୍ୟର ମୋଟ ୧୦୯ ପୌରସଂସ୍ଥା ପାଇଁ ୭,୧୫୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।
ରାଜ୍ୟର ୧୦୬ ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିଗମ ପାଇଁ ୭,୧୫୨ ଜଣ ପ୍ରାର୍ଥୀ ନାମଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୫୯ ଜଣ କାଉନସିଲର ତଥା କର୍ପୋରେଟର ପଦ ଲାଗି ଏବଂ ୬୯୩ ଜଣ ପୌରାଧ୍ୟକ୍ଷ ତଥା ମେୟର ପଦଲାଗି ନାମାଙ୍କନ ଦାଖଲ କରିଛନ୍ତି। ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ରାଜ୍ୟବ୍ୟାପୀ ୫୦୪ ଜଣ କାଉନସିଲର/କର୍ପୋରେଟର ପଦପାଇଁ ଏବଂ ୪,୫୪୧ ଜଣ ପୌରାଧ୍ୟକ୍ଷ/ମେୟର ପଦପାଇଁ ନାମାଙ୍କନ ଭରିଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ଥିବା ମୋଟ ୬୭ ୱାର୍ଡରେ କର୍ପୋରେଟର ଓ ମେୟର ପଦ ପାଇଁ ୩୭୧ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ସେମାନଙ୍କ ମଧ୍ୟରେ ମେୟର ପଦ ପାଇଁ ୧୨ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ କର୍ପୋରେଟର ପଦ ପାଇଁ ୩୬୦ ପ୍ରାର୍ଥୀପତ୍ର ଦାଖଲ ହୋଇଛି।
ସେହିପରି କଟକ ମହାନଗର ନିଗମର ୫୯ ୱାର୍ଡରେ କର୍ପୋରେଟର ଓ ମେୟର ପଦପାଇଁ ୨୮୧ ନାମାଙ୍କନ ପତ୍ର ଦାଖଲ ହୋଇଛି। ସେଥିରୁ ମେୟର ପଦ ପାଇଁ ୨୨ଟି ନାମାଙ୍କନ ହୋଇଥିବା ବେଳେ କର୍ପୋରେଟର ପଦ ପାଇଁ ୨୫୯ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ବ୍ରହ୍ମପୁର ମହାନଗର ନିଗମରେ ୪୨ଟି ୱାର୍ଡ ଥିବା ବେଳେ ସମୁଦାୟ ୧୭୫ ଜଣ ନାମାଙ୍କନ ଭରିଛନ୍ତି । ସେଥିରୁ ମେୟର ପଦ ପାଇଁ ୯ଟି ନାମାଙ୍କନ ହୋଇଥିବା ବେଳେ କର୍ପୋରେଟର ପଦ ପାଇଁ ୧୬୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଆସନ୍ତା ୯ ତାରିଖରେ ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, ଆସନ୍ତା ୧୪ ତାରିଖ ଦିନ ୩ଟା ପୂର୍ବରୁ ତାହା କରିପାରିବେ। ପରେ ଅବଶିଷ୍ଟ ପ୍ରାର୍ଥୀଙ୍କ ପାଇଁ ଆଗାମୀ ୨୪ ତାରିଖରେ ମତଦାନ କରାଯିବ। ଏଥର ସହରାଞ୍ଚଳର ପ୍ରତ୍ୟେକ ଭୋଟର ଦୁଇଟି ଲେଖାଏ ଭୋଟ୍ ଦେବେ। ଗୋଟିଏ ଭୋଟ୍ କାଉନସିଲର/କର୍ପୋରେଟର ପାଇଁ ଏବଂ ଅନ୍ୟଟି ପୌରାଧ୍ୟକ୍ଷ/ମେୟର ବାଛିବା ପାଇଁ। ଏଣୁ ପ୍ରତି ବୁଥ୍ରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ। ଏଥର ପ୍ରଥମ କରି ଇଭିଏମ୍ରେ ନୋଟା ବିକଳ୍ପ ମଧ୍ୟ ରଖାଯିବ। ମତଦାନ ପରେ ସମସ୍ତ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ରେ ରଖାଯିବା ସହ ୨୬ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।