ଜାତୀୟ ମହିଳା ଚେସ୍ ଚାମ୍ପିଅନ୍‌ଶିପ୍, ଦିବ୍ୟା ଦେଶମୁଖଙ୍କୁ ପ୍ରଥମ ଟାଇଟଲ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ କିଟ୍ ୟୁନିଭର୍ସିଟିର ଅନ୍ତର୍ଜାତୀୟ ଚେସ୍ ହଲ୍ ଚାଲିଥିବା ୪୩ତମ ଏମ୍‌ପିଏଲ୍ ଜାତୀୟ ମହିଳା ଚେସ୍ ଚାମ୍ପିଅନ୍‌ଶିପ୍‌ରେ ମହାରାଷ୍ଟ୍ରର ଦିବ୍ୟା ଦେଶମୁଖ ପ୍ରଥମ ଟାଇଟଲ୍ ଜିତିଛନ୍ତି । ୧୬ ବର୍ଷୀୟା ଦିବ୍ୟା ବୁଧବାର ଅଷ୍ଟମ ସିଡ୍ ସୌମ୍ୟା ସ୍ୱାମୀନାଥନ୍‌ଙ୍କ ସହ ଚାମ୍ପିଅନ୍‌ଶିପ୍‌ର ନବମ ରାଉଣ୍ଡ୍ ଡ୍ର’ ରଖିବା ସହ ମୋଟ ୮ ପଏଣ୍ଟ ସହ ଶୀର୍ଷରେ ରହିଥିଲେ ।

ଦିବ୍ୟାଙ୍କୁ ଟ୍ରଫି ସହିତ ୫.୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ଚାମ୍ପିଅନ୍‌ଶିପ୍‌ର ୪୭ ସଂସ୍କରଣ ମଧ୍ୟରେ ସର୍ବାଧିକ । ଏହି ଅପରାଜେୟ ଅଭିଯାନରେ ଦିବ୍ୟା ପ୍ରଥମ ଓ ଅନ୍ତିମ ରାଉଣ୍ଡ୍ ଡ୍ର’ ରଖିଥିବା ବେଳେ ବାକି ସମସ୍ତ ରାଉଣ୍ଡ୍‌ରେ ବିଜୟୀ ହୋଇଥିଲେ । ଏହି ବିଜୟରୁ ତାଙ୍କୁ ୨୪ ରେଟିଂ ପଏଣ୍ଟ ମିଳିଛି । ଦିବ୍ୟାଙ୍କ ମହାରାଷ୍ଟ୍ର ଟିମ୍ ସଥୀ ସାକ୍ଷୀ ଚିଟ୍‌ଲାଙ୍ଗେ ନବମ ରାଉଣ୍ଡ୍‌ରେ ଅର୍ପିତା ମୁଖାର୍ଜୀଙ୍କୁ ହରାଇ ୭ ପଏଣ୍ଟ ସହ ରନର୍ସଅପ୍ ହୋଇଛନ୍ତି ।

ଆନ୍ଧ୍ରପ୍ରଦେଶର ଏନ୍ ପ୍ରିୟଙ୍କା (୭ ପଏଣ୍ଟ୍‌) ସୁପରିଅର୍ ଟାଇବ୍ରେକ୍ ସ୍କୋର୍ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଶ୍ରିଜା ଶେଷାଦ୍ରୀ (୭ ପଏଣ୍ଟ) ଚତୁର୍ଥ ସ୍ଥାନକୁ ଖସି ଯାଇଥିଲେ । ଅନ୍ୟପକ୍ଷରେ ଓଡ଼ିଶାର ପଦ୍ମିନୀ ରାଉତ ୬.୫ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିଲେ । ନବମ ତଥା ଅନ୍ତିମ ରାଉଣ୍ଡ୍‌ରେ ପଦ୍ମିନୀ ଏନ୍ ପ୍ରିୟଙ୍କା ସହ ଡ୍ର’ ରଖିଥିଲେ । ସୌମ୍ୟା ପଞ୍ଚମ ସ୍ଥାନରେ ଥିବାବେଳେ ଆର୍ ବୈଶାଳୀ ଷଷ୍ଠ ସ୍ଥାନରେ ରହିଛନ୍ତି ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ଚେସ୍ ମହାସଂଘ ସମ୍ପାଦକ ଭାରତ ସିଂହ ଚୌହାନ୍‌, ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ରାଜ୍ୟ କ୍ରୀଡ଼ା ସଚିବ ଶୈଳେନ୍ଦ୍ର ଜେନା, ଓଡ଼ିଶା ଚେସ୍ ସଂଘ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ ଓ କୋଷାଧ୍ୟକ୍ଷ ଭାବେଶ ମହାନ୍ତି ଉପସ୍ଥିତ ଥିଲେ ।