ଗାନ୍ଧୀ ଜୟନ୍ତୀରେ ୩ ଜେଲରୁ ୭ ମୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ରାଜକ୍ଷମା ଅନ୍ତର୍ଗତ ଓଡିଶାର ୩ଟି ଜେଲରୁ ୭ଜଣ କଏଦୀ ମୁକ୍ତି ପାଇଛନ୍ତି। ଝାରସୁଗୁଡା ଉପ କାରାଗାରରୁ ଭରତ ପ୍ରଧାନଙ୍କ ସମେତ, କେଉଁଝର ଜେଲରୁ ୫ଜଣ ଓ ଚୌଦ୍ୱାର ଜେଲରୁ ଜଣଙ୍କୁ ଏହି ରାଜକ୍ଷମା ପ୍ରାପ୍ତ ହୋଇଛି।

ଜେଲ ଭିତରେ ସେମାନଙ୍କର ଆଚାର, ବ୍ୟବହାରକୁ ବିଚାର କରାଯାଇ ଜଣେ କଏଦୀଙ୍କୁ ଏହି ରାଜକ୍ଷମା କରାଯାଏ। ଜେଲରୁ ମୁକ୍ତି ହେବା ପୂର୍ବରୁ ଭରତଙ୍କୁ ଶ୍ରୀମଦ୍ ଭଗବତ ଗୀତା ଓ ମହାତ୍ମାଗାନ୍ଧୀଙ୍କ ଉପରେ ପୁସ୍ତକ ପ୍ରଦାନ କରାଯାଇ ଗାନ୍ଧୀଙ୍କ ଚିନ୍ତାଧାରାକୁ ଅନୁସରଣ କରିବା ପାଇଁ ଜେଲ ସୁପରିନ୍ଟେଣ୍ଡେଣ୍ଟ ଦେବେନ୍ଦ୍ର କୁମାର ପରାମର୍ଶ ଦେଇଥିଲେ। ଏହାଛଡା ଜେଲରେ ଥିବା ସମୟରେ ପାରିଶ୍ରମିକ ବାବଦ ଟଙ୍କା ପ୍ରଦାନ କରାଯାଇଥିଲା।

ସେହିଭଳି କେଉଁଝର ଜେଲରୁ ୫ଜଣ ଓ ଚୌଦ୍ୱାର ଜେଲରୁ ଜଣଙ୍କୁ ଏପରି ରାଜକ୍ଷମା କରାଯାଇଛି ବୋଲି ଅତିରିକ୍ତ ଡିଜି(ଜେଲ) ସତ୍ୟଜିତ ମହାନ୍ତି କହିଛନ୍ତି।