ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ଲାଗି ରହିଛି। ହେଲେ ରାଜ୍ୟରେ ଆସନ୍ତା ୨ଦିନ ଭିତରେ ଶୀତର ପ୍ରକୋପ ହ୍ରାସ ପାଇବ। ଆସନ୍ତା ୧୬ ତାରିଖରେ ପଶ୍ଚିମ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ ପ୍ରଭାବରେ ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାଜ୍ୟରେ କେତେକ ସ୍ଥାନର ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ଆଜି ବୃଦ୍ଧି ହୋଇଛି। ଦକ୍ଷିଣ ଓ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ୧୨ ଓ ୧୩ ଡିଗ୍ରୀ ଉପରେ ରହିଛି। ଛତ୍ରପୁରରେ ରାତି ତାପମାତ୍ରା ସର୍ବାଧିକ ୧୭ ଡିଗ୍ରୀ ରହିଥିଲା। ସେହିପରି ପୁରୀରେ ୧୬.୬ ଡିଗ୍ରୀ, ପାରାଦ୍ବୀପରେ ୧୫.୬, ଗୋପାଳପୁରରେ ୧୫.୪, ପାରଳାଖେମୁଣ୍ଡିରେ ୧୫ ଓ ଚାନ୍ଦବାଲିରେ ୧୪.୯ ଡିଗ୍ରୀ ଥିଲା।
ତେବେ ଆସନ୍ତା ୧୭ ଓ ୧୭ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ପାଗ ମେଘୁଆ ରହିବ। ୧୬ରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ। ୨୧ରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ।
୨୧ରେ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ସର୍ବାଧିକ ତାପମାତ୍ରା ୩୩ରୁ ୩୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।