ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୯୭୬ରେ ଓଡ଼ିଆ ସିନେମା ଜଗତକୁ ଦୁଇପାଦ ଆଗକୁ ନେବାକୁ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡ଼ିଓ। ଦିନ ଥିଲା ବାହାର ରାଜ୍ୟର ପ୍ରଯୋଜକ ମନ ବଳାଉଥିଲେ କଳିଙ୍ଗ ଷ୍ଟୁଡ଼ିଓରେ ସିନେମା ନିର୍ମାଣ ପାଇଁ। ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ଥିବା ଏହି ଷ୍ଟୁଡ଼ିଓରେ ସିନେମା, ଧାରାବାହିକ ସୁଟିଂ ଠାରୁ ଆରମ୍ଭ କରି ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ ହୋଇ ଆସୁଥିଲା।

ତେବେ ଦୀର୍ଘବର୍ଷ ଧରି ବନ୍ଦ ପଡ଼ିଛି ଏହି ଷ୍ଟୁଡ଼ିଓ। ୨୦୨୧ ଫେବୃଆରୀ ୨ରେ ଷ୍ଟୁଡ଼ିଓର ପୁର୍ନବିନ୍ୟାସ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୨୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ପୁନରୁଦ୍ଧାର ଖବରକୁ ନେଇ ରାଜ୍ୟ ଚଳଚ୍ଚିତ୍ର ନିର୍ମାତାମାନେ ଉତ୍ସାହିତ ହୋଇଉଠିଥିଲେ।
୨୦୨୧ ମାର୍ଚ୍ଚ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚଳଚ୍ଚିତ୍ର ଜଗତକୁ ଏକ ପ୍ରକାର ଆଶ୍ୱସନା ମିଳିଥିଲା। ଷ୍ଟୁଡ଼ିଓର ଦୁଇଟି ଫାଟକ ରହିଥିବାବେଳେ ପ୍ରଥମ ଫାଟକ ନିର୍ମାଣ ସହ ଅଟିକିଛି ସମ୍ପୂର୍ଣ୍ଣ ପ୍ରକଳ୍ପ। ଘଞ୍ଚ ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ହୋଇପଡ଼ିଛି ଏହି ସ୍ଥାନ। କେଉଁଠି ମୂଳଦୂଆରେ ବିଲ୍ଡିଂ କାମ ଅଟକିଛି ତ କେଉଁଠି ଅଳିଆ ଆବର୍ଜନାର ପାହାଡ଼ ଠିଆ ହୋଇଛି।

ପୁରୁଣା ବର୍ଜ୍ୟ ଯନ୍ତ୍ରପାତି ତଥା ଯାନ ବ୍ୟତୀତ ସୌନ୍ଦର୍ଯ୍ୟର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ। ସଫେଇ ନାମରେ ଅନେକ ବଡ଼ ବଡ଼ ବୃକ୍ଷକାଟି ଜଳାଇ ଦିଆଯାଇଥିବାବେଳେ ସମଗ୍ର ଅଞ୍ଚଳକୁ ଘେରେଇ ରହିଛି ଅନାବନା ଘାସ। ପ୍ରଥମ ଫାଟକ ଦେଖି ଯେକେହି ଭିତର ଦୃଶ୍ୟ ଚମତ୍କାର ହୋଇଥିବା ଭ୍ରମରେ ପଡ଼ୁଛନ୍ତି। ତେବେ ଷ୍ଟୁଡ଼ିଓର ଦ୍ୱିତୀୟ ଫାଟକ ଦେଖିଲେ ଜଣାପଡ଼ୁଛି ଯେ, କେବଳ କାଗଜ କଲମରେ ପୁନରୁଦ୍ଧାର କାର୍ଯ୍ୟ ସୀମିତ ରହିଛି।
ସୂଚନା ଥାଉକି, ୨୦୦ କୋଟିର ପ୍ରସ୍ତାବିତ ଯୋଜନାରେ ଉଭୟ ଇନ୍ଡ଼ୋର୍ ଓ ଆଉଟ୍ଡ଼ୋର୍ ସୁଟିଂ ପାଇଁ ବ୍ୟାପକ ବନ୍ଦୋବସ୍ତ ପାଇଁ ନିର୍ଣ୍ଣୟ ନିଆଯାଇଥିଲା। ପ୍ରକଳ୍ପ କାମ ଇଡ଼କୋ ହାତରେ ରହିଥିବାବେଳେ ପୁନରୁଦ୍ଧାର କାର୍ଯ୍ୟକୁ ବର୍ଷେ ପୂରିଛି। ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଭାବେ ଷ୍ଟୁଡ଼ିଓକୁ ରୂପରେଖ ଦେବା ପାଇଁ ଯୋଜନା କରାଯାଇଥିବାବେଳେ ଜୋନ୍-୧ରେ ଇନ୍ଡ଼ୋର୍ ସୁଟିଂ ଫ୍ଲୋର୍, ସୁଟିଂ ମୁଖଶାଳା, ଫିଲ୍ମଟେକ୍ ଜୋନ୍, ବ୍ୟବସାୟିକ ସ୍ଥାନ, ଖୋଲା ଅଗଣା ଆଦି ରହିବାର ଥିଲା। ତେବେ ଜୋନ୍ -୨ରେ ଆଉଟ୍ ଡ଼ୋର୍ ସୁଟିଂ ସୁବିଧା ସହ, ବିଷୟ ଭିତ୍ତିକ ସୁଟିଂ ଉଦ୍ୟାନ, ଶିଶୁଙ୍କ ପାଇଁ ଜୋନ୍, ଦୁର୍ଗ ତଥା ଷ୍ଟଣ୍ଟ ପ୍ରଦର୍ଶନ ପାଇଁ ସ୍ଥାନ ରହିବ ବୋଲି କୁହାଯାଇଥିଲା।
