ଭୁବନେଶ୍ବର,ଏନ୍ଏନ୍ଏସ୍: ପୁଣି ବ୍ୟାଗରେ ଭର୍ତ୍ତି ହେବ ବହି ଖାତା। ୯ଟା ବାଜିବା କ୍ଷଣି ସ୍କୁଲ ଯିବାକୁ ସଜବାଜ ହେବେ ପିଲାଏ। ପିଲାଙ୍କ କୋଳାହଳରେ କମ୍ପିବ ସ୍କୁଲ କ୍ୟାମ୍ପସ। କାରଣ ଆଜିଠୁ ପୁଣି ଖୋଲୁଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତୃତୀୟ ଲହର ପ୍ରଭାବ କମିବା ପରେ ଆଜିଠୁ ପୁଣି ଥରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ, କଲେଜ ଓ ବିଶ୍ବବିଦ୍ୟାଳୟ,ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିକ୍ଷାନୁଷ୍ଠାନରେ ପ୍ରବେଶଠୁ ନେଇ ଶ୍ରେଣୀଗୃହ ପର୍ଯ୍ୟନ୍ତ ସୁବ୍ୟବସ୍ଥା କରାଯାଇଛି। ପୁରା କ୍ୟାମ୍ପସକୁ ସାନିଟାଇଜ କରାଯାଇଛି। ଏବେ କେବେଳ ଛାତ୍ରଛାତ୍ରୀଙ୍କୁ ଅପେକ୍ଷା।
ରାଜ୍ୟରେ ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉଚ୍ଚ ଶିକ୍ଷାନୁଷ୍ଠାନ ସମସ୍ତ ଶ୍ରେଣୀ ଗୁଡିକରେ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହେବ। ଏହା ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିବ। ରବିବାରଠୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଛି। କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା କରାଯାଇଛି।