ପ୍ରତ୍ୟାହାର ହେଉ ପୌର ନିର୍ବାଚନ ବିଜ୍ଞପ୍ତି: ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପିର ଦାବି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଧାର୍ଯ୍ୟ ଆଇନକୁ ଖିଲାପ କରି ରାଜ୍ୟ ନିର୍ବାଚନ କମିଶନ ତରଭରିଆ ଭାବେ ଫେବୃଆରୀ ୨ ତାରିଖରେ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୱାର୍ଡ଼ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତି କରାଯାଇ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହାକି ‘ରାଜ୍ୟ ମ୍ୟୁନିସିପାଲ୍ କର୍ପୋରେସନ ଆଇନ-୨୦୦୩’କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ଏଣୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇ ନୂତନ ଭାବେ ବିଜ୍ଞପ୍ତି ଜାରି କରାଯାଉ ବୋଲି ବିଜେପିର ଏକ ଟିମ୍ ଶନିବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ବିଜ୍ଞପ୍ତି ଅନୁଯାୟୀ ପ୍ରାଥମିକ ଭୋଟର ତାଲିକା ଆସନ୍ତା ୧୦ ତାରିଖ ଦିନ ପ୍ରକାଶ ପାଇବ ଏବଂ କୌଣସି ଅଭିଯୋଗ ୧୧ରୁ ୧୬ ତାରିଖ (୬ ଦିନ) ଭିତରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇପାରିବ। ମାତ୍ର, ଏହି ୬ ଦିନ ମଧ୍ୟରେ ସରକାରୀ ଛୁଟି ଦିବସ ରହୁଛି। ଅଭିଯୋଗ ଶୁଣାଣି ପାଇଁ ଅତି କମରେ ୧୦ ଦିନ ଦିଆଯିବାର ନିୟମ ଥିଲେ ସୁଦ୍ଧା ନିର୍ବାଚନ କମିଶନ ୬ ଦିନ ସମୟ ଦେଇଛନ୍ତି।

ସେହିପରି କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ଓ ଫଇସଲା ପାଇଁ ୩ ଦିନର ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ (୧୮/୦୨/୨୦୨୨) ସମୟ ରଖାଯାଇଛି। ରାଜ୍ୟର ଅନ୍ୟ ପୌରାଞ୍ଚଳ ନିର୍ବାଚନ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ୫ ଦିନର ସମୟ ଅବଧି ଏବଂ ଦାବି ଓ ଆପତ୍ତିର ଶୁଣାଣି ପାଇଁ ୭ ଦିନର ସମୟ ଅବଧି ଥିବାବେଳେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମାତ୍ର ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି। ଏହି ଅଳ୍ପ ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟିକୁ ଅନୁଧ୍ୟାନ କରି ସଂଶୋଧନ ପାଇଁ କମିଶନଙ୍କ ନିକଟରେ ଆବେଦନ କରିବା ଆଦୌ ସମ୍ଭବ ନୁହେଁ ବୋଲି ଶ୍ରୀ ମହାପାତ୍ର ଯୁକ୍ତି ରଖିଛନ୍ତି।

ଏଥିସହ ଧାର୍ଯ୍ୟ ଆଇନକୁ ଖିଲାପ କରି ତରବରିଆ ଭାବେ ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପଛର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ବିଜେପି ଦର୍ଶାଇଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ଏବଂ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀରଞ୍ଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ।