ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଓ ଓମିକ୍ରନକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଅଜୟ ପରିଡ଼ା କହିଛନ୍ତି ଯେ, ଓଡ଼ିଶାରେ ଦୈନିକ ଯେତିକି କରୋନାରେ ସଂକ୍ରମିତ ହେଉଛନ୍ତି ସେଥିରୁ ୬୦ ପ୍ରତିଶତ ଓମିକ୍ରମନ୍ ଆକ୍ରାନ୍ତ ରହିଛନ୍ତି । ଦିଲ୍ଲୀରେ ସର୍ବାଧିକ ୯୯ ପ୍ରତିଶତ ଓମିକ୍ରନ୍ ଥିବାବେଳେ ମାତ୍ର ୨ ପ୍ରତିଶତ ଡେଲଟା ରହିଛି । ଭାରତରେ ଡେଲଟାର ସ୍ଥାନ ଓମିକ୍ରନ୍ ନେଇଛି । ୨୦୨୧ ଜାନୁଆରୀରେ ଡେଲଟା ୧୨ ପ୍ରତିଶତ ଥିଲା ଅକ୍ଟୋବରରେ ତାହା ୯୮ ପ୍ରତିଶତ ହେଲା । କରୋନ ଭାଇରସର ଜୀବନକାଳ ୧୪ ଦିନ । ତେବେ ଭାଇରସ ଶରୀରକୁ ପ୍ରବେଶ କଲେ ସକ୍ରିୟ ହେବାକୁ ୪ ଦିନ ଲାଗେ । ତେଣୁ ଲକ୍ଷଣ ଆସିବାର ୨ ଦିନ ପରେ ସାମ୍ପଲ ଟେଷ୍ଟ କଲେ ସ୍ପଷ୍ଟତା ଆସେ । ସିଟି ଭାଲ୍ୟୁ ୨୮ ଉପରକୁ ଥିଲେ ରୋଗୀ ଆଉ କାହାକୁ ସଂକ୍ରମିତ କରିପାରେନି । ସିଟି ଭାଲ୍ୟୁ ୨୮ ତଳକୁ ରହିଲେ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା ଥାଏ । କରୋନା ଭୂତାଣୁ ଜଣକ ଶରୀରକୁ ବାରମ୍ବାର ପ୍ରବେଶ କରିପାରେ । ଥରେ ସଂକ୍ରମିତ ହୋଇ ସୁସ୍ଥ ହେଲେ ବି ପୁନଃ ସଂକ୍ରମଣ ସମ୍ଭାବନା ଥାଏ । କୋଭିଡ ନିୟମ ମାନିଲେ ସଂକ୍ରମଣକୁ ଏଡ଼ାଇ ହେବ ।