ଗାନ୍ଧୀ ଜୟନ୍ତୀରୁ ୩ ପ୍ରମୁଖ ଦଳର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଅକ୍ଟୋବର ୨ ତଥା ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ତିନି ପ୍ରମୁଖ ରାଜନୀତିକ ଦଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି। ଗାନ୍ଧୀ ଚେତନା ଓ ବିଚାରଧାରାକୁ ରାଜ୍ୟବ୍ୟାପୀ ପ୍ରଚାର ପ୍ରସାର କରିବା ପଇଁ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ଅଣ୍ଟା ଭିଡ଼ିଛି। ରାଜ୍ୟରେ ସମସ୍ତ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲୁରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏହି ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ। ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ ସମସ୍ତ କାର୍ଯ୍ୟକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହେବେ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର୨ ତାରିଖରେ କଟକର ତେଲେଙ୍ଗାନାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ପଦଯାତ୍ରା କାଳରେ ସେ ସାଧାରଣ ସଭାକୁ ସମ୍ବୋଧନ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି। ତେବେ ଦୁର୍ଗା ପୂଜା କାରଣରୁ ପଦଯାତ୍ରାକୁ ୨ ତାରିଖରୁ ଆରମ୍ଭ କରାଯାଇ ସାମୟିକ ଭାବେ ସ୍ଥଗିତ ରଖାଯିବ। ପୁନଶ୍ଚ ଅକ୍ଟୋବର ୧୧ ତାରିଖରୁ ଏହି କାର୍ଯ୍ୟକ୍ରମ ଚାଲୁ ରହିବ।

ସେହିଭଳି ବିଜେଡି ମଧ୍ୟ ସମାନ ଢ଼ଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳନକୁ ନେଇ ପ୍ରସ୍ତୁତି ଚଳାଇଛି। ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ବିଜେଡି ଏବେ ନୁହେଁ ବରଂ ୧୭ ବର୍ଷ ଧରି ଗାନ୍ଧୀ ଜୟନ୍ତୀ ପାଳନ କରିଆସଛି। ତେଣୁ ଚଳିତ ବର୍ଷ ମଧ୍ୟ ସମାନ ଢ଼ଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳନ ହେବ। ବିଜେଡି ଅକ୍ଟୋବର ୨ରେ ରାଜ୍ୟବ୍ୟାପୀ ପଦଯାତ୍ରା କରିବାସହ ଲୋକଙ୍କୁ ଗାନ୍ଧୀ ଚିନ୍ତାଧାରା ଓ ନିଜ ଦଳର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛି। ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା କ୍ଷେତ୍ରଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବେ।

ଗାନ୍ଧୀ ଜୟନ୍ତୀ ଆୟୋଜନକୁ ସବୁଠାର ବଡ଼ ଆଡ଼ମ୍ବରରେ ପରିଣତ କରିବାକୁ ପ୍ରଚେଷ୍ଟା କରିଛି କଂଗ୍ରେସ। ଗାନ୍ଧୀ ଜୟନ୍ତୀ ପରିଚାଳନାର ସମସ୍ତ ଦାୟିତ୍ୱ କଂଗ୍ରେସ ସେବା ଦଳକୁ ଦିଆଯାଇଛି। ତେବେ କଂଗ୍ରେସ ଏହାକୁ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ପରିଣତ କରିବ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଛି। ସେବା ଦଳ ସଭାପତି ମନୋଜ ଜେନା ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ସେବାଦଳ

ଆଗାମୀ ଏକ ବର୍ଷ ଧରି ରାଜ୍ୟର ସବୁ ଜିଲ୍ଲାରେ ସହଯୋଗୀ ପ୍ରଶିକ୍ଷଣ ଶିବିର, ଗାନ୍ଧୀ ଯୁବ ନେତୃତ୍ୱ ତାଲିମ ଶିବିର, କସ୍ତୁରବା ମହିଳା ସମ୍ମିଳନୀ, ଗାନ୍ଧୀ ଚେତନା ଯାତ୍ରା, ସଂଗ୍ରାମୀ ସେବା ସମ୍ମାନ, ସ୍ୱାସ୍ୟ୍ଥ ଶିବିର, ରକ୍ତଦାନ ଶିବିର, ବୃକ୍ଷରୋପଣ, କୁଷ୍ଠ ସେବା, ଓଡ଼ିଶାରେ ଗାନ୍ଧୀ ଶୀର୍ଷକ କର୍ମଶାଳା, ଗାନ୍ଧୀ ଶିଶୁ ପ୍ରତିଭା ମହୋତ୍ସବ ଭଳି ଅନେକ କାର୍ଯ୍ୟକ୍ରମ ଚଳାଇବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗାନ୍ଧୀ ଚେତନା ଓ ବିଚାରଧାରାକୁ ଲୋକଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ଦିଗରେ ଅଧିକ ଗୁରତ୍ୱ ଦେଉଥିବା ବେଳେ ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଗାନ୍ଧୀଙ୍କ ମହାନତାକୁ ବୁଝିବାରେ ବେଶ୍ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି।