ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଙ୍ଗନବାଡ଼ି କର୍ମୀଙ୍କ ସେବା ନିବୃତ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯିବା ସହିତ ସେମାନଙ୍କୁ ସବେତନ ଚିକିତ୍ସା ଛୁଟି ମିଳିବ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ସେବା ନିବୃତ ସମୟରେ ସେମାନେ ୨୦ ହଜାର ଟଙ୍କା ବଦଳରେ ୪୦ ହଜାର ଟଙ୍କା ପାଇବେ । ମିନି ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅଙ୍ଗନବାଡ଼ି ସହାୟିକାଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ନୂତନ ପ୍ରୋତ୍ସାହନ ରାଶି ପଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଏହି ସୁବିଧା ପାଇବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଙ୍ଗନବାଡ଼ି ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ସେମାନଙ୍କ କାର୍ଯ୍ୟର ଗୁରୁତ୍ୱ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ସରକାର ସେବା ନିବୃତ ଅଙ୍ଗନବାଡ଼ କର୍ମୀଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି । ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି ପ୍ରଦାନ କରାଯିବ । ସେହିପରି ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳାଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।