ଓପିଟିସିିଏଲ୍‌ର ନବନିଯୁକ୍ତ ୨୩୫ କର୍ମଚାରୀଙ୍କୁ ନବୀନଙ୍କ ମନ୍ତ୍ର

୨୪ ଘଣ୍ଟିଆ ଉନ୍ନତ ବିଦ୍ୟୁତ୍ ସେବା ପାଇଁ ୧୮୦୦ କୋଟି ମଞ୍ଜୁର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆହୁରି ଶିଖ, ହୁଅ ଦକ୍ଷ। ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସୂଚାରୁରୂପେ ପାଳନ କର। ‘ସେବକ’ ଭାବେ ନିଜକୁ ପ୍ରତିପାଦିତ କର। ସାଧାରଣ ଜନତାର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦିଅନି। ଫଳରେ ଚବିଶ ଘଣ୍ଟିଆ ଉନ୍ନତ ବିଦ୍ୟୁତ ସେବା ଯୋଗାଇ ଦେବା ନେଇ ସରକାର କରିଥିବା ଯୋଜନାର ସୁଫଳ ଲୋକେ ପାଇପାରିବେ। ଓପିଟିସିିଏଲ୍‌ର ନବନିଯୁକ୍ତ ୨୩୫ କର୍ମଚାରୀଙ୍କୁ ମୁୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ‘୫-ଟି’ ମନ୍ତ୍ର ଦେଇଛନ୍ତି।

ଗୁରୁବାର ଓଡ଼ିଶା ବିଦ୍ୟୁତ ଯୋଗାଣ ନିଗମ (ଓପିଟିସିଏଲ୍‌)ରେ ନିଯୁକ୍ତି ପାଇଥିବା ୬୦ ମ୍ୟାନେଜମେଣ୍ଟ ଟ୍ରେନି ଓ ୧୭୫ ଜୁନିଅର ଟେକ୍ନିସିଆନ୍ କାର୍ଯ୍ୟରେ ଯୋଗଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ‘ପ୍ରଶୀକ୍ଷଣ କାର୍ଯ୍ୟକ୍ରମ’ରେ ଶ୍ରୀ ପଟ୍ଟନାୟକ ଭିଡିଓକନ୍‌ଫରେନ୍ସିଂ ଜରିଆରେ କହିଥିଲେ, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ପରେ ଉନ୍ନତମାନର ବିୁଦ୍ୟତ୍ ସେବା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କେବଳ ଭିତ୍ତିଭୂମି ବିକାଶ ନିମନ୍ତେ ୧୮୦୦ କୋଟି ଟଙ୍କା ଏଇ ନିକଟରେ ମଞ୍ଜୁର ହୋଇଛି। ଏହି ଅର୍ଥରେ ରାଜ୍ୟରେ ୯୯ଟି ୩୩ କେଭି ସବ୍‌ଷ୍ଟେସନ ପ୍ରତିଷ୍ଠା ହେବ। ଏଥିଯୋଗୁଁ ୨୪ ଘଣ୍ଟିଆ ବିୁଦ୍ୟୁତ ସେବା ଉପଲବ୍ଧ ହେବ। ଏହାର ସିଧାସଳଖ ସୁଫଳ ଲୋକେ ପାଇବେ। ଶକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏଭଳି ସୁଚିନ୍ତିତ ଯୋଜନା ଯୋଗୁ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ପାଲଟବାକୁ ଯାଉଛି।

ଶ୍ରୀ ପଟ୍ଟନାୟକ ପୁଣି କହିଛନ୍ତି ଯେ, ଶକ୍ତି କ୍ଷେତ୍ରର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ଏହି କ୍ଷେତ୍ରରେ ଆଗାମୀ ଦିନରେ ବ୍ୟାପକ ପରିବର୍ତ୍ତନ ହେବ। ରାଜ୍ୟ ଆଉ ନିଅଣ୍ଟିଆ ଶକ୍ତି ରାଜ୍ୟ ନୁହେଁ, ବଳକା ରାଜ୍ୟରେ ପରିଣତ ହେବ। ସେଥିପାଇଁ ମେଗା ନିଯୁକ୍ତିକୁ ଅଗ୍ରଧିକାର ଦିଆଯାଇଛି। ତେଣୁ ନବନିଯୁକ୍ତ କର୍ମଚାରୀଙ୍କୁ କାର୍ଯ୍ୟଶୈଳୀ ଠିକ୍ ହେବା ଜରୁରୀ। ୨୦୧୦ ପରଠାରୁ ଓପିଟିସିଏଲରେ ୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ରୋଜଗାର ମିଳିଛି। ଆଗାମୀ ଦିନରେ ବି ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।