ବଲାଙ୍ଗୀର,ଏନ୍ଏନ୍ଏସ୍: ରାଜ୍ୟରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଛି। ସମ୍ପୃକ୍ତ ମୃତକ ଜଣକ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଂଚଳର ୪୫ ବର୍ଷୀୟା ମହିଳା ହୋଇଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ମହିଳା ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୨୨ ତାରିଖରେ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨୩ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଓମିକ୍ରନ୍ ଚିହ୍ନଟ ପାଇଁ ଜିନମ ସିକୁଏନ୍ସିଂ ନିମନ୍ତେ ନମୁନା ପଠାଯାଇଥିଲା। ଓମିକ୍ରନ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ୨୭ରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଓମିକ୍ରନ୍ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଏବେ ସଂପୃକ୍ତ ମହିଳାଙ୍କ ଗାଁକୁ ଯାଇ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ସିଡିଏମଓ କହିଛନ୍ତି। କିନ୍ତୁ ମୃତ୍ୟୁ ଓମିକ୍ରନ୍ କି ହୃଦଘାତରେ ହୋଇଛି ତାହା ଏବେ କହିହେବନି ବୋଲି ସିଡିଏମଓ କହିଛନ୍ତି ।