ରାଜ୍ୟରେ ପୁଣି ନାଇଟ କର୍ଫ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା ଓମିକ୍ରନ୍ ଓ କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ନୂଆ ଗାଇଡଲାଇନ ଅନୁସାରେ, ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ହୋଟେଲ ଓ ବାର ୫୦ ପ୍ରତିଶତ କ୍ଷମତାରେ ଚଳାଚଳ କରିବ। ରାସ୍ତାକଡ଼ ଦୋକାନରେ ସର୍ବାଧିକ ୫ଜଣ ଗ୍ରାହକ ରହିବେ। ହଜାରେ ଦର୍ଶକଙ୍କୁ ନେଇ ଯାତ୍ରା ଚାଲିବ କିନ୍ତୁ ମାଲକଙ୍କୁ କଡ଼ାକଡ଼ି ଭାବେ କରୋନା ନିୟମ ପାଳନ କରିବାକୁ ପଡ଼ିବ। ସ୍କୁଲ, କଲେଜ, ପିକନିକ୍ ଓ ଏସକର୍ସନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସ୍କୁଲ, କଲେଜ ବନ୍ଦ ରହିଲେ ମଧ୍ୟ ଅନଲାଇନ ପାଠପଢ଼ା ଜାରି ରହିବ। ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲିବ। ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ବ୍ୟାଚ୍ କରି ଡାଉଟ୍ କ୍ଲିୟରିଂ କ୍ଲାସ କରାଯିବ।

ସେହିପରି ହାଟ ଓ ବଜାରରେ ଭିଡ଼ ହ୍ରାସ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ମଲ କିମ୍ବା ଦୋକାନରେ ଯଦି ଭିଡ଼ ହୁଏ ତେବେ ୭ ଦିନ ଯାଏଁ ବନ୍ଦ କରାଯିବ। ରାଜନୈତିକ ଓ ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ। ଇଣ୍ଡୋର ହଲରେ ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି। ପର୍ଯ୍ୟଟନୀ ସ୍ଥଳୀରେ ପିକନିକ କରାଯାଇ ପାରିବ ନାହିଁ। କୌଣସି ହୋଟେଲ ଓ ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି। ବାହାଘର ଓ ବ୍ରତଘରରେ ୧୦୦ ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିବ।