ଓଡିଶାର ୮୨ ଶିଶୁ ବାହାର ରାଜ୍ୟରୁ ଉଦ୍ଧାର

ଭୁବନେଶ୍ୱର, ନିଖୋଜ ଶିଶୁମାନଙ୍କୁ ଠାବ କରିବା ପାଇଁ ଆୟୋଜିତ ସ୍ୱତନ୍ତ୍ର ଅଭିଯାନ ଅପରେସନ ପରୀ-୩ ର ଦ୍ୱିତୀୟ ପର୍ୟ୍ୟାୟରେ ରାଜ୍ୟ ବାହାରକୁ ଗସ୍ତ କରିଥିବା ୮ଟି ଟିମ୍ ମୋଟ ୮୨ ଜଣ ଶିଶୁଙ୍କୁ ଉଦ୍ଧାର କରି ଫେରିଛନ୍ତି । ଉକ୍ତ ଶିଶୁଙ୍କ ମଧ୍ୟରେ ୨୧ ଜଣ ବାଳିକା ହୋଇଥିବା ବେଳେ ୬୧ ଜଣ ବାଳକ ଅଛନ୍ତି ।

ମହିଳାଓ ଶିଶୁ ବିକାଶ ଏବଂମିଶନ ଶକ୍ତି ବିଭାଗର ସୂଚନା ମୁତାବକ ଆନ୍ଧ୍ରପ୍ରଦେଶରୁ ୨୦ ଜଣ, ତାମିଲନାଡ଼ୁରୁ ୧୫ ଜଣ, ତେଲେଙ୍ଗାନାରୁ ୪ ଜଣ, ମହାରାଷ୍ଟ୍ରରୁ ୫ ଜଣ, ପଶ୍ଚିମବଙ୍ଗରୁ ୧୭ ଜଣ, ଛତିଶଗଡ଼ରୁ ୮ ଜଣ, ଝାଡ଼ଖଣ୍ଡରୁ ୯ ଜଣ ଏବଂ ନୂଆଦିଲ୍ଲୀରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରି ଫେରାଇ ଅଣାଯାଇଛି । ବିଭିନ୍ନ କାରଣରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ଏହି ଶିଶୁମାନଙ୍କୁ ଉପରୋକ୍ତ ରାଜ୍ୟର ଶିଶୁ ଯତ୍ନ ଅନୁଷ୍ଠାନ, ରେଳ ଷ୍ଟେସନ, ଆଶ୍ରୟଗୃହ ଓ ବସଷ୍ଟାଣ୍ଡ ଆଦିରୁ ଉଦ୍ଧାର କରାଯଇଥିଲା ।

ନିୟମାନୁଯାୟୀ ଉକ୍ତ ଶିଶୁମାନଙ୍କୁ ଭୁବନେଶ୍ୱରର ଅତିରିକ୍ତ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନ କରାଯାଇ ସାମୟିକ ଭାବରେ ଭୁବନେଶ୍ୱର ଓ କଟକ ସହରରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକରେ ରହିବାର ବନ୍ଦୋବସ୍ତ ହୋଇଛି । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଂଯୋଜନାରେ ଜିଲ୍ଲ। ଉଦ୍ଧାର ଶିଶୁମାନଙ୍କୁ ସେମାନଙ୍କର ପରିବାର ସହିତ ପୁନର୍ମିଳନ ପାଇଁ ବ୍ୟବସ୍ଥା କରଯାଉଛି । ଆବଶ୍ୟକ ସ୍ଥଳେ ଅଭିଭାବକ ନଥିବା ଶିଶୁଙ୍କୁ ବିଭାଗ ତରଫରୁ ଆନୁଷ୍ଠାନିକ ଯତ୍ନ ସହାୟତା ଯୋଗାଇ ଦିଆଯିବ ।

ସୂଚନାଯୋଗ୍ୟ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟ ପୋଲିସ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗରେ ପ୍ରତି ରାଜ୍ୟକୁ ଯାଉଥିବା ପ୍ରତି ଟିମରେ ଜଣେ ଲେଖାଏଁ ଅଧିକାରୀଙ୍କୁ ନିୟୋଜିତ କରିବା ସହିତ, ଯାତାୟତ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ଟିମକୁ ଏକ ଲକ୍ଷ ପଚାଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉକ୍ତ ଅଭିଯାନର ସଫଳତା ପାଇଁ ସମସ୍ତ ସହଭାଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।