ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ରବିବାରଠୁ ବଢିବ ବର୍ଷା। ଶନିବାର ଦିନ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଆଜି ଓଡ଼ିଶା ଉପକୂଳ ଛୁଇଁବ। ଏହା ପ୍ରଭାବରେ ଆଜି ଉତ୍ତରଓଡ଼ିଶା ଓ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବର୍ଷା ହେବ।
୧୯ରୁ ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢ଼ଳି ରହିଥିବା ବେଳେ ଆସନ୍ତା ୧୨ଘଣ୍ଟାରେ ଓଡ଼ିଶା ଉପକୂଳ ସ୍ପର୍ଶ କରିବ। ଫଳରେ ରାଜ୍ୟରେ ବର୍ଷା ବଢ଼ିବ।
ଆଜି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି। ସେହିଭଳି ୨୦ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।