ଭୁବନେଶ୍ୱର,ଏନ୍ଏନ୍ଏସ୍: ରାତ୍ରିରେ ଟ୍ରେନରୁ ଡକାୟତି ଯୋଜନାକୁ ପଣ୍ଡ କଲା ଜିଆରପି ଓ ଆରପିଏଫ୍ ପୁଲିସ। ଜିଆରପିର ଏସଆଇ ବିକାଶ ପଲାଇଙ୍କ ନେତୃତ୍ୱରେ ଜିଆରପି ଓ ଆରପିଏଫର ଏକ ଟିମ୍ ଆଜି ଭୁବନେଶ୍ୱରର ଫଲିକିଆ ବସ୍ତିର ଶୂନଶାନ ସ୍ଥାନରେ ଚଢ଼ଉ କରିଥିଲା। ସେଠାରୁ ୬ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେମାନେ ରାତ୍ରିରେ ଭୁବନେଶ୍ୱରକୁ ଆସୁଥିବା ଟ୍ରେନରେ ଡକାୟତି ପାଇଁ ଯୋଜନା କରୁଥିଲେ।
ଜିଆରପି ଓ ଆରପିଏଫର ଉଚ୍ଚିତ ପଦକ୍ଷେପ ପାଇଁ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ବିପଦ ଟଳିଯାଇଛି। ଏହି ଅଭିଯୁକ୍ତମାନେ ହେଲେ କୋରାପୁଟର ବାପୁନ ସିସା, ବିହାରର ବିଶାଲ କୁମାର, ଗଞ୍ଜାମର ବସନ୍ତ ସାହୁ ଓ ସଞ୍ଜୟ ପ୍ରଧାନ, କଟକର ଦିନବନ୍ଧୁ ନାଏକ ଏବଂ ମାଲକାନଗିରିର ଧର୍ମାନନ୍ଦ ମାଦ୍ରି। ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ କେସ ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏଥିସହିତ ପୁଲିସ ଚଢ଼ଉ ଜାରି ରଖିଛି।