ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

କଟକ,ଏଜେନ୍ସି: ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ଭି କେ ପାଣ୍ଡିଆନ୍ କଟକ ସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ବାବଦରେ ସମୀକ୍ଷା କରିଛନ୍ତି।

୧.୫୫ କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର ମୋଟ ଲମ୍ବ ୩.୫୫ କିଲୋମିଟର ହେବ।

ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ୫ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଖାନ ନଗରରେ ୧୭.୯୧ ଏକର ଜମିରେ ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ପାଣ୍ଡିଆନ୍ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ। ଅଗଷ୍ଟ ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି। ୫ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗର ସଚିବ ଶ୍ରୀ କ୍ରିଷନ୍ କୁମାର, ସଚିବ ଶ୍ରୀ ଭିନିଲ କ୍ରିଷ୍ଣା, ଆରଡିସି ଏଏକେ ସାମଲ, କଲେକ୍ଟର ବିଏସ ଚଇନୀ, ସିଏମସି କମିସନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଆଦି ଉପସ୍ଥିତ ଥିଲେ।