ଆଜି ରାଜ୍ୟରେ ପୁଣି ୫୭୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ପୁଣି ୫୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୧୬ ଜଣ ସଂଗରୋଧ ଗୃହର ହୋଇଥିବା ବେଳେ ୧୬୧ ଜଣ ସ୍ଥାନୀୟ ସଂକ୍ରମିତି ବୋଲି ଜଣାପଡ଼ିଛି। ଏଥିସହିତ ଆଜି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୨୦୧କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ୨୬୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୩ ଜଣ, ଖୋର୍ଦ୍ଧାରୁ ୫୬ ଜଣ, କେନ୍ଦୁଝରରୁ ୪୮ ଜଣ, ବାଲେଶ୍ୱରରୁ ୩୦ ଜଣ, ଗଜପତିରୁ ୧୭ ଜଣ, ମୟୂରଭଞ୍ଜ ଓ କଟକରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୯ ଜଣ, ଜଗତସିଂହପୁର ଓ ଅନୁଗୁଳରୁ ୭ ଜଣ ଲେଖାଏଁ, କୋରାପୁଟରୁ ୬ ଜଣ, ପୁରୀ ଓ ବୌଦ୍ଧରୁ ୫ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୪ ଜଣ, ସମ୍ବଲପୁର ଓ କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ, ଭଦ୍ରକରୁ ୨ ଜଣ ଓ ମାଲକାନଗିରି, ନୟାଗଡ଼, ଝାରସୁଗୁଡ଼ା ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୦୬ ଜଣ ସୁସ୍ଥ ହୋଇଥିବା ବେଳେ ୪୧୨୮ ସକ୍ରିୟ ଅଛନ୍ତି।