ରାଜ୍ୟରେ ୫୭୦ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୧୨ ହଜାର ୫୨୬କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୫୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮୪ ଓ ୧୮୬ଟି ସ୍ଥାନୀୟ ମାମଲା ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୭୦ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୮, କଟକରୁ ୪୬, ସୁନ୍ଦରଗଡ଼ରୁ ୪୪, ଯାଜପୁରରୁ ୪୦, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ ଲେଖାଏଁ, ଝାରସୁଗୁଡ଼ାରୁ ୩୧, ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେଉଁଝରରୁ ୧୪, ଅନୁଗୁଳ ଓ କୋରାପୁଟ ଜିଲ୍ଲାରୁ ୧୧ ଜଣ ଲେଖାଏଁ ରହିଛନ୍ତି। ସେହିପରି ମୟୁରଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱର ଓ ବୌଦ୍ଧରୁ ୩ ଲେଖାଏଁ, ଭଦ୍ରକରୁ ୨ ଓ ସମ୍ବଲପୁର ଜିଲ୍ଲାରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨୭ ହଜାର ୨୮୮ଟି କରୋନା ଟେଷ୍ଟ ହୋଇଥିବା ବେଳେ ୧୨ ହଜାର ୫୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୬୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୭,୯୭୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୪୭୫ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।