ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମୋଟ ୫୫୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୭ଜଣ ଓ ସ୍ଥାନୀୟ ସଂକ୍ରମଣ ୨୩୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫୩, ଖୋର୍ଦ୍ଧାରୁ ୪୯, ସୁନ୍ଦରଗଡ଼ରୁ ୪୭, ମୟୁରଭଞ୍ଜରୁ ୪୦, ସମ୍ବଲପୁରରୁ ୩୭, କଟକରୁ ୩୫, ନୂଆପଡ଼ାରୁ ୩୧, ପୁରୀରୁ ୨୬, କଟକ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୫ ଲେଖାଏଁ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା୧,୭୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୮ ଲକ୍ଷ ୧୯ ହଜାର ୫୮୪ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୧୭ହଜାର ୭୮୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପଟେ ୩ଲକ୍ଷ ୯ହଜାର ୭୪୭ ଜଣ ସୁସ୍ଥ ହୋଇଛନ୍ତି ଓ ୬,୨୫୯ ଜଣଙ୍କ ଚିକିତ୍ସା ଜାରି ରହିଛି।